ମହିଳା ଏସ୍‌ସି୍‌ଏସ୍‌ଓଙ୍କୁ ଯୌନ ନିର୍ଯାତନା ଘଟଣା, ପିଡ଼ିତାଙ୍କୁ ଭେଟି ଆଲୋଚନା କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ବଲାଙ୍ଗିର,ଏନ୍ଏନ୍ଏସ୍: ଜିଲ୍ଲା ଯୋଗାଣ ବିଭାଗର ମହିଳା ଅଧିକାରୀଙ୍କୁ ଯୌନ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାନେତ୍ରୀ ବଂଲତ ମାଝୀଙ୍କ ନେତୃତ୍ୱରେ ଏକ ଦଳ ପୀଡ଼ିତାଙ୍କୁ ଦେଖା କରି ସହଯୋଗର ହାତ ବଢ଼ାଇଛି। ସଙ୍ଘ ନେତ୍ରୀ ଶ୍ରୀମତୀ ମାଝୀ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଶ୍ରୀମତୀ ମାଝୀ ନିଜ ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଯେ, ଜିଲ୍ଲା ଯୋଗାଣ ବିଭାଗ ମୁଖ୍ୟ ଅଧିକାରୀ (ସିସିଏସ୍‌ଓ) ମୀର ରାଜା ଅଲ୍ଲୀଙ୍କ ବିରୋଧରେ ଜଣେ ଆଦିବାସୀ ମହିଳା ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଲକ୍ଷାଧିକ ଟଙ୍କା ଲାଞ୍ଚ ମାଗିବା, ବେଆଇନ ଭାବେ ବିଳମ୍ବିତ ରାତି ଯାଏ କାର୍ଯ୍ୟାଳୟରେ କାମ କରାଇବା, ଅଶାଳୀନ ମନ୍ତବ୍ୟ ଦେବା ସହିତ ଶାରୀରିକ, ମାନସିକ ନିର୍ଯାତନା ଦେବା ଭଳି ଗମ୍ଭୀର ଅଭିଯୋଗ ହୋଇଛି। ପ୍ରଥମେ ଜିଲ୍ଲା ପ୍ରଶାସନ ମହିଳା କର୍ମଚାରୀଙ୍କ ଅଭିଯୋଗ ଉପରେ କାନ ବନ୍ଦ କରିଦେବ ପରେ, ଉକ୍ତ ଆଦିବାସୀ ମହିଳା ଅଧିକାରୀ ଜଣକ ବାଧ୍ୟ ହୋଇ ଗତ ତା.୯ ତାରିଖରେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଯାହା କେଶ୍‌ ନଂ-୪୦୪ ତା.୯.୮.୨୨ ସେକ୍ସନ ୨୯୪, ୩୫୪(ଏ), ୫୦୬, ଆଦିବାସୀ ହରିଜନ ନିର୍ଯାତନା ନିବାରଣ ଆଇନ ଧାରା-୩(୧)(ଆର୍‌), ୩(୧)(ଏସ୍‌), ୩(୨)(ଭିଏ)ରେ ପଞ୍ଜିକୃତ ହୋଇଛି।

ଘଟଣାକୁ ଦୀର୍ଘ ୧୧ ଦିନ ବିତିଯାଇଥିଲେ ସୁଦ୍ଧା ଦୋଷୀକୁ ଖୋଜି ପାଉନଥିବା ପୁଲିସ କେବଳ ତଦନ୍ତ ନାଁରେ ଦିନ ଗଡାଉଛି। ନିର୍ଯାତିତା ନ୍ୟାୟ ପାଇଁ ବାର ଦୁଆର ହେଉଥିବା ବେଳେ ଅଭିଯୁକ୍ତ ବେଫିକର ବୁଲୁଛି। ଜିଲ୍ଲା ପୁଲିସ ଓ ପ୍ରଶାସନ ତଦୃପ କାର୍ଯ୍ୟକଳାପରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କ୍ଷୋଭ ପ୍ରକାଶ କରିଛି। ସଂଘ ଆଜି ପୀଡ଼ିତା ଘରକୁ ଯାଇ ପୀଡ଼ିତାଙ୍କୁ ଭେଟି ଏ ବିଷୟରେ ଆଲୋଚନା କରି ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦାବି କରିଛି।

ଆଜିର ଏହି ଆଲୋଚନା ସମୟରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାନେତ୍ରୀ ବନଲତା ମାଝୀ, ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ବଲାଙ୍ଗିର ବ୍ଲକ୍‌ ଉପସଭାପତି ଅଚ୍ୟୁତ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି।