ଲଗାଣ ବର୍ଷାରେ ବୁଡ଼ିଲା ବାଲିଗୁଡ଼ା ସହର

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ଲଘୁଚାପ ଜନିତ ଲଗାଣ ବର୍ଷାରେ ଗାଁଠୁ ସହର ସବୁଠି ସଙ୍ଗୀନ୍ ପରିସ୍ଥିତି ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ପୋଲ ଧୋଇ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ଜଳ ପଶିବା ସହ ଅନେକଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ବାଲିଗୁଡ଼ା ସହରର ବସଷ୍ଟାଣ୍ଡ ନିକଟସ୍ଥ ଆଦର୍ଶ ପୁଷ୍କରିଣୀରେ ଜଳସ୍ତର ବୃଦ୍ଧି ପାଇବା ସହ ସହର ମଧ୍ୟଦେଇ ଯାଇଥିବା ୫୯ନଂ. ଜାତୀୟ ରାଜପଥରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଛି । ସହରର ବିଭିନ୍ନ ୱାର୍ଡରେ ବର୍ଷା ଜଳ ଲୋକଙ୍କ ଘରେ ପଶିବା ସହ କିଛି ଲୋକଙ୍କ ଘର ଭାଙ୍ଗିଯାଇଛି । ଏଥିସହିତ ଅନେକ ଲୋକଙ୍କ ଦୋକାନ ଭିତରେ ବର୍ଷା ଜଳ ପଶିବା ସହ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି ।