ମଦ ବିରୋଧରେ ସାମିଲ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ପାଟଣା,ଏନ୍ଏନ୍ଏସ୍: ଉଭୟ ଅବକାରୀ ଓ ପୁଲିସ ବିଭାଗର ନିଷ୍କ୍ରିୟତା ଯୋଗୁଁ ପାଟଣା ବ୍ଲକ ଅଞ୍ଚଳରେ ମହୁଲି ମଦର କୁଟୀର ଶିଳ୍ପ ଗଢି ଉଠିଛି। ଏହାକୁ ପ୍ରତିବାଦ କରି ଆଜି କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ମୂଷାପଡ଼ା ଗ୍ରାମରେ ଦର୍ପଣୀ ନାଏକଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକତ୍ରିତ ହୋଇଛନ୍ତି। ଏଥିସହିତ ଗାଁ’ରେ ଦୀର୍ଘ ଦିନରୁ ଚାଲୁଥିବା ବେଆଇନ ମଦ ଦୋକାନ ଉପରେ ଚଢ଼ଉ କରି ମଦ ଜବତ କରି ରାସ୍ତା ଉପରେ ଢ଼ାଳି ଦେଇଛନ୍ତି।

ସୂଚନା ଅନୁଯାୟୀ ଏହି ମଦ ବେପାରକୁ ବନ୍ଦ କରିବା ପାଇଁ ମହିଳାମାନେ ବିଭିନ୍ନ ସମୟରେ ଅବକାରୀ ବିଭାଗକୁ ଜଣାଇଥିଲେ ହେଁ ଅବକାରୀ ବିଭାଗ ଏମାନଙ୍କ କଥା ଶୁଣୁନଥିଲେ। ଫଳରେ ଆଜି ଉତ୍ତ୍ୟକ୍ତ ମହିଳାମାନେ ଏକାଠି ହୋଇ ଶିବ ମୁଣ୍ଡାର ୮ ଲିଟର, ରାଉତ ରାୟ ମୁଣ୍ଡାର ୩ ଲିଟର, ରାଜୁ ପାତ୍ରର ୯ ଲିଟର ମହୁଲି ମଦ ଓ ହାଣ୍ଡିଆକୁ ଢ଼ାଳି ଦେଇଛନ୍ତି। ଆଗକୁ ସରକାର ଗାଁ’ରେ ମଦ ବନ୍ଦ ନକଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।