ନିଲାମ ହେବ ବିଜୟ ମାଲ୍ୟାଙ୍କ ୫୬ ଶହ କୋଟି ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ,ଏଜେନ୍ସି: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ୫୬ ଶହ କୋଟି ଟଙ୍କାର ସମ୍ପତ୍ତି ନିଲାମ କରାଯିବ। ବ୍ୟାଙ୍କଗୁଡିକରୁ ୯ ହଜାର କୋଟିରୁ ଅଧିକ ଋଣ ନେଇ ବିଦେଶ ପଳାଇଥିବା ମାଲ୍ୟାଙ୍କ ସମ୍ପତ୍ତି ନିଲାମ କରିବାକୁ ପିଏମଏଲଏ କୋର୍ଟ ବ୍ୟାଙ୍କଗୁଡିକୁ ଅନୁମତି ଦେଇଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏମଡ଼ି ମଲ୍ଲିକାର୍ଜୁନ ରାଓ ଏହି ସୂଚନା ଦେଇଛନ୍ତି।

ପିଏମଏଲଏ କୋର୍ଟ ପକ୍ଷରୁ ମାଲ୍ୟାଙ୍କ ୫୬ ଶହ କୋଟି ଟଙ୍କାର ସମ୍ପତ୍ତିକୁ ବ୍ୟାଙ୍କଗୁଡ଼ିକୁ ହସ୍ତାନ୍ତର କରିବାକୁ ଇଡ଼ିକୁ କହିଛନ୍ତି। ଏହା ପୂର୍ବରୁ କୋର୍ଟ ମେ’ ୨୪ ତାରିଖରେ ୪୨୩୩ କୋଟି ଓ ଜୁନ୍ ୧ ତାରିଖରେ ୧୪୧୧ କୋଟି ଟଙ୍କାର ସମ୍ପତ୍ତି ବ୍ୟାଙ୍କକୁ ହସ୍ତାନ୍ତର କରିବାକୁ ଆଦେଶ ଦେଇଥିଲେ।

ସୂଚନା ଅନୁସାରେ ଏସବିଆଇ ଅଧୀନରେ ଥିବା ୧୭ଟି ବ୍ୟାଙ୍କ ବିଜୟ ମାଲ୍ୟାଙ୍କୁ ୯ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଦେଇଥିଲା। ଋଣ ନେଇ ମାଲ୍ୟା ବିଦେଶ ପଳାଇ ଯାଇଥିଲେ। ବର୍ତ୍ତମାନ ଋଣ ପରିଶୋଧ ପାଇଁ ବ୍ୟାଙ୍କ ତାଙ୍କ ସମ୍ପତ୍ତି ନିଲାମ କରିବ। ସେହିପରି ମାଲ୍ୟାଙ୍କ ନାମରେ ଭାରତରେ ଅନେକ କୋର୍ଟରେ ମାମଲା ଚାଲୁ ରହିଛି।