୧୧ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ହେବ ମୌସୁମୀ, ୮ରୁ ବର୍ଷା ଆରମ୍ଭ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତବର୍ଷ ରାଜ୍ୟରେ ସ୍ୱାଭାବିକ ରହିବ ମୌସୁମୀ। ମୌସୁମୀ କେରଳ ଛୁଇଁବାରେ ବିଳମ୍ବ ହେବାରୁ ଜୁନ୍‌ର ଦ୍ୱିତୀୟ ସପ୍ତାହ ବେଳକୁ ଏହା ଓଡ଼ିଶା ଛୁଇଁବ ବୋଲି ଆଶା କରାଯାଉଥିଲା। ହେଲେ ଉତ୍ତର ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବାରେ ଲାଗିଛି। ଫଳରେ ଏହା ପ୍ରଭାବରେ ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୧୧ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନ ବା ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶା ସମେତ ସମଗ୍ର ପୂର୍ବଭାରତ, ବିହାର, ଛତିଶଗଡ଼ରେ ମୌସୁମୀକୁ ଟାଣି ଆଣିବାରେ ସହାୟକ ହେବ। ଏପରିକି ଏହି ଲଘୁଚାପ ପ୍ରଭାବରେ ପଶ୍ଚିମ ଭାରତର କେତେକ ଅଞ୍ଚଳକୁ ମୌସୁମୀ ଅଗ୍ରଗତି କରିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି।

ସୂଚନା ମୁତାବକ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗର, ସମଗ୍ର ଉପକୂଳ କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ରର କିଛି ଅଂଶ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡ଼ୁର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କେତେକ ଅଂଶରେ ପହଞ୍ଚିଛି। ଆଗାମୀ ୨୪ ଘଣ୍ଟାରେ ଏହା ସମଗ୍ର କର୍ଣ୍ଣାଟକ, ମହାରାଷ୍ଟ୍ରର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଆଉ କେତେକ ଅଞ୍ଚଳ, କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କେତେକ ଅଂଶରେ ପହଞ୍ଚିବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ତଥା ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, କେରଳକୁ ମୌସୁମୀ ଆସିବା ୨ ଦିନ ବିଳମ୍ବ ହୋଇଥିଲେ ବି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମୌସୁମୀକୁ ତ୍ୱରାନ୍ୱିତ କରିବ। ଫଳରେ ସ୍ୱାଭାବିକ ସମୟରେ ଓଡ଼ିଶାକୁ ମୌସୁମୀର ଆଗମନ ହେବ। ଏହା ପ୍ରଭାବରେ ଆସନ୍ତା ଜୁନ ୮ ସୁଦ୍ଧା ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଲଘୁଚାପ ଯୋଗୁଁ ୧୧ ତାରିଖ ସୁଦ୍ଧା ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ମୌସୁମୀ ସକ୍ରିୟ ହେବ। କିଛି ଜିଲ୍ଳାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆଶଙ୍କା ରହିଥିବାବେଳେ ଏକାଧିକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ଆଶଙ୍କା କରାଯାଇଛି।

୮ ତାରିଖ ଦିନ ରାଜ୍ୟର ୩ ଜିଲ୍ଲା କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ସମ୍ପୃକ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ବାକି ୧୮ ଜିଲ୍ଲାକୁ କାଳବୈଶାଖୀ ଜନିତ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିବା ସମ୍ଭାବନା ରହିଛି। ସେନେଇ ମଧ୍ୟ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି ହୋଇଛି।