ବିକାଶର ନଗ୍ନ ଚିତ୍ର : ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ରୋଗୀ

ବରଗଡ଼,ଏନ୍ଏନ୍ଏସ୍: ବିକାଶର ବିକଳ ଚିତ୍ର। ଗାଁକୁ ଭଲ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ରୋଗୀ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମର ଜଣେ ଅସୁସ୍ଥ ରୋଗୀ ଖଟିଆରେ ବୁହା ହୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି।

ସୂଚନାନୁଯାୟୀ, ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମକୁ ଏଯାବତ୍ ଖଣ୍ଡିଏ ଭଲ ରାସ୍ତା ହୋଇପାରି ନାହିଁ। ଅନ୍ୟପଟେ ଏହି ଗ୍ରାମକୁ ସଂଯୋଗ କରୁଥିବା ପତ୍ରାପାଲି-ଭୁତଟିକ୍ରା ରାସ୍ତା ମଧ୍ୟ ବର୍ଷବର୍ଷ ଧରି ଶୋଚନୀୟ ହୋଇ ପଡିଛି। ଫଳରେ କଣ୍ଟାତଳ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ଗ୍ରାମର ଜଣେ ବ୍ୟକ୍ତି ଭକ୍ତ ଚରଣ ନାଏକ(୬୫) ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତାଙ୍କର ପରିବାର ଲୋକମାନେ ଖଟିଆରେ ବୋହି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଭକ୍ତ ଚରଣଙ୍କୁ ପତ୍ରପାଲି ପର୍ଯ୍ୟନ୍ତ ଖଟିଆରେ ବୋହି ନେବାପରେ ଏକ ଭଡ଼ା ଗାଡିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗାଁକୁ ରାସ୍ତା ଖଣ୍ଡିଏ ପାଇଁ ଗ୍ରାମବାସୀମାନେ ବାରମ୍ଵାର ଦାବି କରିଆସୁଥିଲେ ମଧ୍ୟ ଏଯାଏଁ ପ୍ରଶାସନିକ ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।