ବାଗଝରନ ଗାଁ’ରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ, କ୍ଷତିପୂରଣ ପାଇଁ ଦାବି କଲେ ଗାେଲୋକ

ପାଟଣାଗଡ଼,ଏନ୍ଏନ୍ଏସ୍‌: କିଛିଦିନ ହେବ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ୨ଟିକିଆ ବଣୁଆ ହାତୀ ଉପଦ୍ରବ କରୁଥିବା ବେଳେ ଗତ ରାତିରେ ଲାଠୋର ସହରରେ ହାତୀ ଦୁଇଟି ବୁଲୁଥିବା ଦେଖିବାକୁ ମିଳିଥିଲା। ସହର ଭିତରେ କାହାରି କିଛି କ୍ଷୟକ୍ଷତି କରିନଥିଲେ ମଧ୍ୟ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ। ଖବରପାଇ ଲାଠୋର ବନବିଭାଗର କମର୍ଚାରୀ ପହଞ୍ଚି ୨ ଟିକିଆ ହାତୀ ପଲକୁ ଘଉଡ଼ାଇଥିଲେ। ହାତୀ ମାନେ ଜଙ୍ଗଲ ଯିବା ବଦଳରେ ଲାଠୋର-ଖପ୍ରାଖୋଲ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଥିଲା। ଯାହା ଫଳରେ ହାତୀକୁ ଦେଖି ଲୋକଙ୍କ ଯିବା ଆସିବା ଠପ୍‌ ହୋଇପଡ଼ିଥିଲା।

୨ ଟିକିଆ ହାତୀ ପଲକୁ ଲାଠୋର ବନ ବିଭାଗ ଓ ଖପ୍ରାଖୋଲ ବନବିଭାଗ ମିଳିତ ଭାବରେ ଘଉଡ଼ାଇଥିଲେ। କିନ୍ତୁ ହାତୀ ପଲ ଜଙ୍ଗଲକୁ ଯିବା ବଦଳରେ ପିଙ୍ଗଲମୁଣ୍ଡା ଗାଁ’ ଭିତରକୁ ପଶି ଯାଇଥିଲେ। ପିଙ୍ଗଲମୁଣ୍ଡା ଗାଁ’ ଲୋକେ ୨ଟି ଦନ୍ତା ହାତୀକୁ ଦେଖି ଭୟଭୀତ ହୋଇପଡି ତାଟି କବାଟ ଦେଇ ଘରେ ରହିଥିଲେ। ୨ ଦିନ ହେଲା ହାତୀ ପଲ ବନବିଭାଗକୁ ନାକେ ଦମ କରି ରଖିଛି। ଖପ୍ରାଖୋଲ ବନବିଭାଗ କର୍ମଚାରୀମାନେ ଲୋକଙ୍କୁ ମାଇକ ଦ୍ଵାରା ସଚେତନା କରି ଘରୁ ନ ବାହାରିବା ପାଇଁ ପ୍ରଚାର କରୁଥିଲେ ମଧ୍ୟ ଲୋକେ ମାନୁ ନାହାନ୍ତି। ଫଳରେ ହାତୀ ପଲଟି ପିଙ୍ଗଲମୁଣ୍ଡା ଗାଁରୁ ବାଘଝରଣ ଗାଁକୁ ଯାଇଥିଲା। ରାତି ୮ ଟାରେ ଗାଁ’ର ୬୫ ବର୍ଷୀୟା ବୃଦ୍ଧା ବାସନ୍ତି ଅଙ୍ଗରିଆ ପରିଶ୍ରା କରିବାକୁ ଘରୁ ବାହାରିବାରୁ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ବାସନ୍ତିକୁ ଦଳି ମାରି ଦେଇଥିଲା।

ଅନ୍ୟପଟେ ଖପ୍ରାଖୋଲ ଜଙ୍ଗଲ ବିଭାଗ ଗାଁ ଗାଁ’ରେ ବୁଲି ଡାକବାଜି ଯନ୍ତ୍ର ଦ୍ୱାରା ରାତିରେ ଘରୁ ନବାହାରିବା ପାଇଁ ସଚେତନ କରୁଛନ୍ତି। ହାତୀ ମାରିଦେଇଥିବା ମହିଳାକୁ କ୍ଷତିପୂରଣ ଦେବା ପାଇଁ ଗାଁ ଲୋକ ବନବିଭାଗ ନିକଟରେ ଦାବି କରିଛନ୍ତି। ମୃତ ବାସନ୍ତୀର ଶବକୁ ହରିଶଙ୍କର ପୁଲିସ ଓ ଖପ୍ରାାଖୋଲ ବନବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ଘଟଣା ସମ୍ପର୍କରେ ଖପ୍ରାଖୋଲ ରେଞ୍ଜର ଗିରିଧାରୀ ନାଗ କହିଛନ୍ତି ଯେ ମୃତକ ପରିବାରଙ୍କୁ ସରକାରୀ ସହାୟତା ଦିଆଯିବ ବୋଲି ସୂଚନା ଦେଇଛନ୍ତି।