ସଇଁନ୍ତଲା,ଏନ୍ଏନ୍ଏସ୍: ଦାଦନର ରାଜଧାନୀ କିମ୍ଵା ଦାଦନଗଡ଼ କୁହାଯାଉଥିବା ବଲାଙ୍ଗିର ଜିଲ୍ଲାରେ ଦାଦନ ମୁଁହରେ ଦାନା ଦେବା ପାଇଁ ଫେଲ ମାରିଛି ପ୍ରଶାସନ। ତେବେ ବିଳମ୍ବିତ ରାତ୍ରି ପ୍ରାୟ ୨ଟାରେ ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁମ୍ଭାରି ପଞ୍ଚାୟତ କୁମ୍ଭେକେଲା ଗ୍ରାମର ପାଖାପାଖି ୧୦ ଜଣ ପରିବାର ହାଇଦ୍ରାବାଦକୁ ଦାଦନ ସରଦାରର ଜଣେ ଦଲାଲ କଣ୍ଟାବାଞ୍ଜି ନେଉଥିବା ବେଳେ କୌଣସି ସୂତ୍ରରୁ ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର ଖବରପାଇଥିଲେ। ଖବରପାଇ ସଇଁନ୍ତଲା ପୁଲିସକୁ ସୂଚନା ଦେଇଥିଲା ପରେ ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ ଟିକ୍ରାପଡ଼ା ଫାଣ୍ଡିକୁ ସୂଚନା ଦେଇଥିଲେ।
ଫାଣ୍ଡି ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଦାଦନ ଶ୍ରମିକ ବେଆଇନ ଭାବେ ଚାଲାଣ ହେଉଥିବା ଏକ ପିକ୍ଅପ୍(ଓଡି-୦୩ଏଚ୍-୩୩୪୮)କୁ ଅଟକାଇ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଶ୍ରମିକ ମାନଙ୍କୁ ପୁଲିସ ନିଜ ଗାଁ’କୁ ଆଣି ଛାଡି ଦେଇଥିଲେ। କଣ୍ଟାବାଞ୍ଜି ଅଞ୍ଚଳରେ ଦାଦନ ସର୍ଦାର ଥିବା ବେଳେ ସ୍ଥାନୀୟ ଅଞ୍ଚଲରେ ସର୍ଦାରର ଦଲାଲ ସକ୍ରିୟ ଥିବା ସୂଚନା ମିଳିଛି। ତେବେ ଶ୍ରମିକ ମାନଙ୍କ ମଧ୍ୟରେ ୧୦ ଜଣ ପୁରୁଷ ୮ ଜଣ ମହିଳା ଓ ୧୦ ଜଣ ଶିଶୁ ଥିବା ନେଇ ଟିଟିଲାଗଡ ଏସଡିପିଓ ସୂଚନା ଦେଇଛନ୍ତି।