ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ବସାଲୋଇ ଗ୍ରାମରେ ଥିବା ଶାଖା ଡାକଘର କାର୍ଯ୍ୟରତ ମହିଳା ପୋଷ୍ଟ ମାଷ୍ଟର ରେଣୁବାଳା ନାଏକଙ୍କୁ ଦେବଗଡ଼ ଥାନା ପୁଲିସ ଠକେଇ ଅଭିଯୋଗରେ ଗିରଫ କାରି କୋର୍ଟ ଚାଲାଣ କରିଥିବାବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବସାଲୋଇ ଶାଖା ଡାକଘରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଚଢେଇମରା ଗ୍ରାମର ରେଣୁବାଳା ଗତ ୨୦୧୯ ମସିହାରୁ ଉକ୍ତ ଡାକଘରେ ଅବସ୍ଥାପିତ ଥିବା ବେଳେ ଉକ୍ତ ଗ୍ରାମର ଲକ୍ଷ୍ମୀଧର ସାହୁ, କିରଣବାଳା ସାମଲ,ଗାୟତ୍ରୀ ମହାକୁଳ ଓ ନବୀନ ଚନ୍ଦ୍ର ସ୍ୱାଇଁଙ୍କ ଆଉ ଅନ୍ୟ କେତେକ ଗ୍ରାମବାସୀ ଡାକଘରେ ଟଙ୍କା ଜମା କରାଇଥିଲେ।
ଟଙ୍କା ମାଚ୍ୟୁରିଟି ହେବାପରେ ଜମାକାରୀ ଟଙ୍କା ଉଠାଣ ପାଇଁ ଆସିଥିବା ବେଳେ ରେଣୁବାଳା ଉକ୍ତ ଟଙ୍କାକୁ ପୁଣିଥରେ ବାନ୍ଧିବାକୁ ପ୍ରବାର୍ତ୍ତାଇ ଥିଲେ। ରେଣୁବାଳାଙ୍କ କଥାରେ ବିଶ୍ୱାସ କରି ଜମାକାରୀ ମାନେ ସେମାନଙ୍କ ଟଙ୍କାକୁ ପୁନଃ ଜମା କରିଥିଲେ ମଧ୍ୟ ପରେ ସେମାନେ ଟଙ୍କା ଜମା ହୋଇନଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ରେଣୁବାଳାଙ୍କୁ ପଚାରିବାରୁ ସେ ପର୍ଯ୍ୟାୟକ୍ରମେ ଟଙ୍କା ଫେରାଇବାକୁ ପ୍ରତିଶୃତି ଦେଇଥିଲେ। ଇତି ମଧ୍ୟରେ ଡାକ ବିଭାଗ ଅଭିଯୋଗର ବିଭାଗୀୟ ତଦନ୍ତ ଆରମ୍ଭ କରିବାସହ ରେଣୁବାଳାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ଗତକାଲି ପୁଣିଥରେ ରେଣୁବାଳା ବସାଲୋଇ ଡାକଘରକୁ ଯାଇଥିବା ବେଳେ ଗ୍ରାମବାସୀମାନେ ତାଙ୍କୁ ଅଟକ ରଖି ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ଅଡ଼ି ବସିଥିଲେ। ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନାପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରୁ ରେଣୁବାଳାଙ୍କୁ ଉଦ୍ଧାର କରିବା ସହ ଥାନାକୁ ଆଣି ପଚରାଉଚୁରା କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପୁଲିସ ରେଣୁବାଳାଙ୍କ ନାମରେ ଠକେଇ ମାମଲା ରୁଜୁ କରିଥିବା ବେଳେ ରେଣୁବାଳାଙ୍କ ପାଲଟା ରିପୋର୍ଟ ଆଧାରରେ ମଧ୍ୟ ପୁଲିସ ଗ୍ରାମବାସୀଙ୍କ ନାମରେ ବିଭିନ୍ନ ଦଫାରେ ଅନ୍ୟ ଏକ ମାମଲା ରୁଜୁ କାରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।