ରେଳ ବିଦ୍ୟୁତ୍ ଖୁଣ୍ଟରୁ ଖସି ତାର ଚୋର ମୃତ

ବାରିପଦା,ଏନ୍ଏନ୍ଏସ୍: ବାଙ୍ଗିରିପୋଷି-ରୁପ୍ସା ରେଳପଥର ବୈଦ୍ୟୁତିକରଣ କାର୍ଯ୍ୟ ପ୍ରାୟ ଶେଷ ହେବା ଉପରେ। ଏହି ସମୟରେ ଆଜି ଭୋରରେ ବାରିପଦା ଭଞ୍ଜପୁର ରେଳ ଷ୍ଟେସନ ମଧ୍ୟ ସ୍ଥଳ ବାଘଡ଼ାରୋଡ଼ ଶନି ମନ୍ଦିର ନିକଟରେ ଥିବା ରେଳପଥର ବିଦ୍ୟୁତ୍ ଖୁଣ୍ଟରୁ ମୂଲ୍ୟବାନ ତାର ଚୋରି କରିବା ନିମନ୍ତେ କେତେକ ଦୁର୍ବୃତ୍ତ ଆସିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ଖୁଣ୍ଟ ଉପରକୁ ଚଢ଼ି ତାରକୁ କାଟୁଥିଲା। ଏହି ସମୟରେ ସେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଫଳରେ ଖୁଣ୍ଟ ମୂଳ କଂକ୍ରିଟ ଢ଼ଳେଇରେ ମୁଣ୍ଡ ବାଡ଼େଇ ହୋଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଛି।

ଏହା ଦେଖି ଅନ୍ୟ ଦୁର୍ବୃତ୍ତମାନେ ଭୟଭୀତ ହୋଇ ଦୌଡ଼ି ପଳାଇ ଯାଇଥିଲେ। ଏହି ସମୟରେ ବାଙ୍ଗିରିପୋଷି-ଭୂବନେଶ୍ୱର ସୁପରଫାଷ୍ଟ ଟ୍ରେନ ଆସି ସେଠାରେ ଅଟକି ରହିଥିଲା। ଖବରପାଇ ରେଳ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିବା ସହିତ ପଞ୍ଚନାମା ନିମନ୍ତେ ପଠାଇଥିଲେ। ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା। ମୃତ ଯୁବକ ଜଣଙ୍କ ବାରିପଦା ପୌରପରିଷଦର ମଙ୍ଗଳା ମନ୍ଦିରସାହି ଅଞ୍ଚଳର ଚନ୍ଦନ ସରକାର ବୋଲି ଜଣାପଡ଼ିଛି।