ୱିମ୍ବଲଡନ୍ ଓପନ୍‌: କ୍ରାଜିକ୍‌-ସ୍କୁପ୍‌ସ୍କିଙ୍କୁ ମିକ୍ସଡ ଡବଲ୍ସ ଟାଇଟଲ୍‌

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ୱିମ୍ବଲଡନ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ଅଷ୍ଟ୍ରେଲିଆର ନିକ୍ କିର୍ଗିଓସ୍ ଓ ସର୍ବିୟାର ନୋଭାକ୍ ଜୋକୋଭିଚ୍‌ଙ୍କ ମଧ୍ୟରେ ଖେଳାଯିବ । ସ୍ପେନ୍‌ର ଦ୍ୱିତୀୟ ସିଡ୍ ଖେଳାଳି ରାଫେଲ୍ ନାଡାଲ୍ ଆଘାଜନିତ କାରଣରୁ ସେମିଫାଇନାଲ୍‌ରୁ ଓହରିଯିବା ଫଳରେ କିର୍ଗିଓସ୍ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍‌ରେ ପ୍ରବେଶ କରିପାରିଛନ୍ତି । ସେହିପରି ଦ୍ୱିତୀୟ ସେମିଫାଇନାଲ୍‌ରେ ବ୍ରିଟେନ୍‌ର କ୍ୟାମେରନ୍ ନୋରିଙ୍କୁ ୨-୬,୬-୩,୬-୨,୬-୪ ସେଟ୍‌ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ୍‌ର ଟପ୍ ସିଡ୍ ଖେଳାଳି ଜୋକୋଭିଚ୍ ଫାଇନାଲ୍‌ରେ ପହଞ୍ଚି କ୍ରମାଗତ ଚତୁର୍ଥ ଟାଇଟଲ୍ ହାସଲର ସମ୍ଭାବନା ସୃଷ୍ଟି କରିଛନ୍ତି ।

ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍‌ରେ ସେମିଫାଇନାଲ୍ ଖେଳୁଥିବା ନୋରିଙ୍କୁ ନିରାଶ ହେବାକୁ ପଡ଼ିଛି । କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ସ୍ପେନ୍‌ର ଦ୍ୱିତୀୟ ସିଡ୍ ରାଫେଲ୍ ନାଡାଲ୍ ଯନ୍ତ୍ରଣା ସତ୍ତ୍ୱେ ବିଜୟୀ ହୋଇଥିଲେ ହେଁ ସେମିଫାଇନାଲ୍ ଖେଳିବାରେ ଅସମର୍ଥ ହୋଇଥିଲେ । ଗୁରୁବାରର କ୍ୱାର୍ଟର୍ ଫାଇନାଲ୍ ଖେଳିବା ସମୟରେ ନାଡାଲ ଆବଡୋମିନାଲ୍ ଟିୟର୍‌ର ଶିକାର ହୋଇଥିଲେ । ଏହି କାରଣରୁ ସେ ଗୁରୁବାର ତାଙ୍କ ସେମି ମୁକାବିଲାରୁ ଓହରିଯାଇଥିବା ନେଇ ୱିମ୍ବଲଡନ୍ ଟ୍ୱିଟର୍ ପୃଷ୍ଠାରେ ସୂଚନା ଦିଆଯାଇଥିଲା । ଅନ୍ୟପକ୍ଷରେ କିର୍ଗିଓସ୍‌ଙ୍କ ନାଡାଲ୍‌ଙ୍କ ଆଶୁ ସୁସ୍ଥତା କାମନା କରିଛନ୍ତି ।

ସେହିପରି ମିକ୍ସଡ ଡବଲ୍ସରେ ଆମେରିକାର ଜେଡିରେ କ୍ରାଜି୍‌କ ଓ ବ୍ରିଟେନ୍‌ର ନିଲ୍ ସ୍କୁପ୍‌ସ୍କି ଟାଇଟଲ୍ ବଜାୟ ରଖିଛନ୍ତି । ଏହି ଦ୍ୱିତୀୟ ସିଡ୍ ଯୋଡ଼ି ଗୁରୁବାର ଖେଳାଯାଇଥିବା ଫାଇନାଲ୍‌ରେ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ୍ ଓ ସାମ୍ ଷ୍ଟୋସୁର୍ ଯୋଡ଼ିକୁ ୬-୪,୬-୩ରେ ପରାସ୍ତ କରି ଏହି ସଫଳତା ପାଇଛି । କ୍ରାଜିକ୍‌-ସ୍କୁପ୍‌ସ୍କି ଯୋଡ଼ି ମ୍ୟାଚ୍‌ଟିକୁ ମାତ୍ର ୧ ଘଣ୍ଟା ୨୭ ମିନିଟ୍‌ରେ ଶେଷ କରିଦେଇଥିଲେ । ଏଥିସହ ଏହି ଯୋଡ଼ି ଏଠାରେ ୧୯୯୭ ମସିହା ପରେ ପ୍ରଥମ ଥର ପାଇଁ ଟାଇଟଲ୍ ବଜାୟ ରଖିପାରିଛି । ଶେଷ ଥର ପାଇଁ ୧୯୯୭ରେ ଚେକ୍ ଗଣରାଜ୍ୟର ଭାଇ-ଭଉଣୀ ସିରିଲ୍ ସୁକ୍ ଓ ହେଲେନା ସୁକୋଭା ଏହି ସଫଳତା ପାଇଥିଲେ ।