ମହିଳା ହକି ବିଶ୍ୱକପ୍‌: କ୍ରସ୍‌ଓଭର୍‌ରେ ସ୍ପେନ୍‌କୁ ଭେଟିବ ଭାରତ

ଆମଷ୍ଟେଲ୍‌ଭିନ୍‌,ଏଜେନ୍ସି: ଚଳିତ ମହିଳା ହକି ବିଶ୍ୱକପ୍‌ରେ ଭାରତ ଗୁରୁବାର ତା’ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ଠାରୁ ୩-୪ରେ ପରାସ୍ତ ହୋଇଛି । ତେବେ ଏହା ସତ୍ତ୍ୱେ ବି ଦଳ ତା’ର କ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚିବା ଆଶାକୁ କାଏମ ରଖିଛି । କାରଣ ଦଳ ଦୁଇ ପଏଣ୍ଟ୍ ପାଇ ପୁଲ୍‌-ବି’ରେ ତୃତୀୟ ସ୍ଥାନରେ ରହିଛି । ଏହି ଗ୍ରୁପ୍‌ରେ ଭାରତ ଓ ଚୀନ୍ ୨ ପଏଣ୍ଟ୍ ଲେଖାଏଁ ପାଇଥିଲେ ହେଁ ଉନ୍ନତ ଗୋଲ୍ ବ୍ୟବଧାନରେ ଦଳ କ୍ରସ୍ ଓଭର୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଏହି ପର୍ଯ୍ୟାୟରେ ଦଳ ରବିବାର ଅନ୍ୟତମ ଆୟୋଜକ ସ୍ପେନ୍‌କୁ ଭେଟିବ । ଟୁର୍ଣ୍ଣାମେଣ୍ଟ୍‌ର ଫର୍ମାଟ୍ ଅନୁସାରେ ୪ଟି ଗ୍ରୁପ୍‌ର ଶୀର୍ଷ ଦଳ ସିଧାସଳଖ କ୍ୱାର୍ଟର୍ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ସେହିପରି ପ୍ରତି ଗ୍ରୁପ୍‌ର ଦ୍ୱିତୀୟ ଓ ତୃତୀୟ ଟିମ୍ କ୍ରସ୍‌ଓଭର୍ ପର୍ଯ୍ୟାୟ ମାଧ୍ୟମରେ କ୍ୱାର୍ଟର୍ ଫାଇନାଲ୍‌ରେ ସ୍ଥାନ ପକ୍କା କରିପାରିବେ । ୭ ପଏଣ୍ଟ୍ ପାଇ ଗ୍ରୁପ୍‌-ବି’ରୁ ନ୍ୟୁଜିଲାଣ୍ଡ୍ ଶୀର୍ଷ ଦଳ ଭାବେ କ୍ୱାର୍ଟର୍‌ରେ ପ୍ରବେଶ କରିଥିବା ବେଳେ ୪ ପଏଣ୍ଟ୍ ପାଇଥିବା ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଅନ୍ୟ ଗ୍ରୁପ୍‌ଗୁଡ଼ିକରୁ ନେଦରଲାଣ୍ଡ୍‌ସ, ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟ ସିଧାସଳଖ କ୍ୱାର୍ଟର୍‌ରେ ପହଞ୍ଚିଛନ୍ତି । ନ୍ୟୁଜିଲାଣ୍ଡ୍ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଭାରତ ପକ୍ଷରୁ ଚତୁର୍ଥ ମିନିଟ୍‌ରେ ବନ୍ଦନା କଟାରିୟା, ୪୪ତମ ମିନିଟ୍‌ରେ ଲାଲ୍‌ରେମ୍‌ସିଆମି ଓ ୫୯ତମ ମିନିଟ୍‌ରେ ଗୁରଜିତ୍ କୌର୍ ଗୋଲ୍ ଦେଇଥିଲେ । ବିଜୟୀ ନ୍ୟୁଜିଲାଣ୍ଡ୍ ପକ୍ଷରୁ ଦ୍ୱାଦଶ ଓ ୫୪ତମ ମିନିଟ୍‌ରେ ଓଲିଭିଆ ମେରୀ ଏବଂ ୨୯ତମ ମିନିଟ୍‌ରେ ଟେସା ଜୋପ୍ ଓ ୩୨ତମ ମିନିଟ୍‌ରେ ଫ୍ରାନ୍ସେସ୍ ଡେଭିଜ୍ ଗୋଲ୍ ସ୍କୋର୍ କରିଥିଲେ ।