ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସରକାର କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରି ସମଗ୍ର ବିଶ୍ୱରେ ପ୍ରଶଂସା ସାଉଣ୍ଟିପାରିଛି । ଗତ କିଛି ବର୍ଷ ଧରି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରୀଡ଼ା କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଦେଶ ତଥା ବିଶ୍ୱରେ କ୍ରୀଡ଼ା ହବ୍ର ମାନ୍ୟତା ପାଇପାରିଛି । ଚାମ୍ପିଅନ୍ସ ଟ୍ରଫି ହକିଠାରୁ ଆରମ୍ଭ କରି ପୁରୁଷ ହକି ବିଶ୍ୱକପ୍, ପ୍ରୋ-ଲିଗ୍ ହକି, ଜୁନିଅର ପୁରୁଷ ହକି ବିଶ୍ୱକପ୍, ଏସିଆନ୍ ଆଥ୍ଲେଟିକ୍ସ ମିଟ୍, ଓଡ଼ିଶା ଓପନ୍ ଅନ୍ତର୍ଜାତୀୟ ବ୍ୟାଡ଼୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ, ରାଜ୍ୟଗୋଷ୍ଠୀ ଟିଟି ଚମ୍ପିଅନ୍ଶିପ୍, ଜାତୀୟ ପାରା ଆଥ୍ଲେଟିକ୍ସ, ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ ଆଦି କ୍ରୀଡ଼ା ଇଭେଣ୍ଟକୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଫଳତାର ସହ ଆୟୋଜନ କରି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।
ନିକଟରେ ସମସ୍ତ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ନେଇ ଗୁଜରାଟରେ ଜାତୀୟ ସ୍ତରର ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ଓଡ଼ିଶା ପକ୍ଷରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ । ଉକ୍ତ କର୍ମଶାଳାରେ ଓଡ଼ିଶାକୁ ଢେର ପ୍ରଶଂସା ମଧ୍ୟ ମିଳିଛି । ଆସନ୍ତା ବର୍ଷ ଓଡ଼ିଶା ପୁଣିଥରେ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି । ଏହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ବିଶ୍ୱକପ୍କୁ ସଫଳ କରିବା ସକାଶେ ଆୟୋଜକ ଏଫ୍ଆଇଏଚ୍ର ନିମନ୍ତ୍ରଣ କ୍ରମେ ଶୁକ୍ରବାର କ୍ରୀଡ଼ା ମନ୍ତ୍ରୀ ଓ ଏକ ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ୟୁରୋପ ଗସ୍ତରେ ଯାଇଛନ୍ତି । ପ୍ରତିନିଧି ମଣ୍ଡଳୀରେ ଓଡ଼ିଶା ହକି ପ୍ରମୋସନ କାଉନସିଲ୍ ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର କୁମାର ଜେନା, ରଞ୍ଜିତ ପରିଡ଼ା, ଯୁଗ୍ମ ଶାସନ ସଚିବ ତଥା ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୈଳାଶ ଚନ୍ଦ୍ର ଦାସଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନେ ସାମିଲ୍ ଅଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀରୁ ସିଧାସଳଖ ନେଦରଲାଣ୍ଡ୍ସ ରାଜଧାନୀ ଆମଷ୍ଟରଡାମ୍ ଯାତ୍ରା କରିବ । ସେଠାରେ ପହଞ୍ଚି ସଦସ୍ୟମାନେ ଚଳିତ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ରେ ଭାଗ ନେଉଥିବା ଭାରତୀୟ ଦଳର ମ୍ୟାଚ ଦେଖିବେ । କ୍ରୀଡ଼ା ମନ୍ତ୍ରୀ ଆସନ୍ତା ୧୩ ତାରିଖରେ ରାଜ୍ୟକୁ ଫେରିବାକୁ ଥିବା ବେଳେ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ ସେଠାରେ ୧୦ ଦିନ ରହି ବିଭିନ୍ନ ମ୍ୟାଚ୍ ପରିଦର୍ଶନ କରିବା ସହ ମେଗା ଇଭେଣ୍ଟର ଆୟୋଜନ, ଆତିଥ୍ୟ ଶୈଳୀ, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସୁପରିଚାଳନା, ଖେଳର ପ୍ରଚାରପ୍ରସାର, ଖେଳାଳିମାନଙ୍କ ରହଣି, ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥା ଆଦିର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବେ ।