ବାଲିଗୁଡାରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

ବାଲିଗୁଡା, ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ବନଖଣ୍ଡ ପକ୍ଷରୁ ନିଆରା ଢଙ୍ଗରେ ଏହି ଦିନଟିକୁ ପାଳନ କରାଯାଇଥିଲା । ବନଖଣ୍ଡ ଅଧିକାରୀ ବିଶ୍ବନାଥ ନିଳନବରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ୍ ସିଂ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପରେ ବନଖଣ୍ଡର ସଭାଗୃହ ପରିସର ମଧ୍ୟରେ ଅଞ୍ଚଳର ପ୍ରତିଭାବାନ୍ କଳାକାର ତଥା ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭାଗ ତରଫରୁ ଏକ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯିବା ସହ ପୁରସ୍କୃତ କରାଯାଇଥିଲା । ବାଲିଗୁଡା ବନଖଣ୍ଡରେ କିଭଳି ବନ୍ୟଜନ୍ତୁଙ୍କ ସୁରକ୍ଷା କରାଯିବ ସେନେଇ ବନଖଣ୍ଡ ଅଧିକାରୀ ଆଲୋକପାତ କରିଥିଲେ, ଏଥିସହିତ ଭଲ କାମ କରିଥିବା କର୍ମଚାରୀଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ବାଲିଗୁଡା ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ଓ ବନପାଳ ପ୍ରଭାତ କୁମାର ଦୋରାଙ୍କ ସମେତ ବନଖଣ୍ଡର ସମସ୍ତ କର୍ମକର୍ତ୍ତା ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।