ଗାନ୍ଧୀ ଜୟନ୍ତୀରେ ୧.୨୭ କୋଟି ଟଙ୍କାର ଖଦି ବିକ୍ରି

ନୂଆଦିଲ୍ଲୀ, ଏଜେନ୍ସି: ଖଦି ଇଣ୍ଡିଆର ଦିଲ୍ଲୀରେ ଥିବା କନାଟ ପ୍ଲେସର ପ୍ରମୁଖ ଷ୍ଟୋର ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ୧.୨୭ କୋଟି ଟଙ୍କାର ରେକର୍ଡ ପରିମାଣର ବିକ୍ରି କରିଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପାଇଁ ଖଦିର ବେଶ ମହତ୍ତ୍ୱ ରହିଥିବାବେଳେ ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ୧୩ରେ ଏହି ଷ୍ଟୋର ଦିନକ ମଧ୍ୟରେ ସର୍ବାଧିକ ୧.୨୫ କୋଟି ଟଙ୍କାର ରେକର୍ଡ ବିକ୍ରି କରିଥିଲା। ଖଦି ଏବଂ ଗ୍ରାମୋଦ୍ୟୋଗ (କେଭିଆଇସି) ତରଫରୁ ବିବୃତିରେ କୁହାଯାଇଛି ଯେ, ଖଦି ଇଣ୍ଡିଆର କନାଟ ପ୍ଲେସର ପ୍ରମୁଖ ଷ୍ଟୋରଟି କେବଳ ଅକ୍ଟୋବର ୨ରେ ୧.୨୭ କୋଟି ଟଙ୍କାର ବିକ୍ରି କରି ରେକର୍ଡ କରିଛି। କେଭିଆଇସି ଦ୍ୱାରା ପାରମ୍ପରିକ ରୂପେ ଅକ୍ଟୋବର ୨ରେ ଦେଶବ୍ୟାପୀ ଖଦି ଉତ୍ପାଦ ଉପରେ ରିହାତି ଦିଆଯାଏ। ତେବେ ଚଳିତବର୍ଷ ଏହି ଦିନ ଖଦି ବିକ୍ରିକେନ୍ଦ୍ରକୁ ୧୬,୮୭୦ ଜଣ ଖଦି ପ୍ରେମୀ ଆସିବା ସହିତ ମୋଟ ୨,୭୨୦ଟି ବିଲ୍ ଜାରି କରାଯାଇଛି। ତେବେ ଏ କ୍ଷେତ୍ରରେ ମୋଟ ୧.୨୭ କୋଟି ଟଙ୍କାର ବିକ୍ରି ମଧ୍ୟରୁ ଖଦି ଉତ୍ପାଦର ଭାଗ ୧୧୪.୧୧ ଲକ୍ଷ ଟଙ୍କା ରହିଥିବାବେଳେ ଗ୍ରାମୋଦ୍ୟୋଗ ଉତ୍ପାଦଗୁଡ଼ିକର ୧୩.୪୬ ଲକ୍ଷ ଟଙ୍କାର ଭାଗ ରହିଛି।