କରୋନା ଆକ୍ରାନ୍ତ ଯୋଗୁ ସ୍ୱାମୀଙ୍କ ମୃତ ଦେହ ଦେଖି ପାରିଲାନାହିଁ ସ୍ତ୍ରୀ

ସଇଁନ୍ତଳା,ଏନ୍ଏନ୍ଏସ୍: ସ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିବା ବେଳେ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଛି। ଏଭଳି ସ୍ଥିତିରେ ସ୍ୱାମୀଙ୍କ ମୃତ ଦେହ ଦେଖିପାରିଲା ନାହିଁ ସ୍ତ୍ରୀ। ଏଭଳି ଏକ କରୁଣ ଚିତ୍ର ସାମନାକୁ ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ ପରାସରା ପଞ୍ଚାୟତ ଅଞ୍ଚଳରୁ। ମୃତକ ଜଣଙ୍କ ପରାସରା ଗାଁ’ର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି। ପରିବାରରେ ତାଙ୍କ ସ୍ତ୍ରୀ ଓ ଦୁଇ ବିବାହିତ ପୁଅ ଅଛନ୍ତି।

ସେମାନେ ସମସ୍ତେ ଦାଦନ ଶ୍ରମିକ ଭାବେ ଛତିଶଗଡ଼ର ରାୟପୁରକୁ ଯାଇଥିଲେ। କିଛି ଦିନ ତଳେ ଉକ୍ତ ବ୍ୟକ୍ତିଙ୍କ ଦେହ ଖରାପ ଖବରପାଇ ସ୍ତ୍ରୀ ଗାଁକୁ ଆସିଥିଲେ। ମାତ୍ର ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପଡ଼ିଥିଲା। ସେଠାରେ ତାଙ୍କର ସ୍ୱାବ୍‌ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ଡାକ୍ତରଖାନାକୁ ପଠାଯାଇଥିଲା। ଏହାର ଗୋଟିଏ ଦିନ ପରେ ସ୍ୱାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତେବେ ପାଖରେ ଦୁଇ ପୁଅ ନଥିବା ବେଳେ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କ ମୃତ ଦେହ ଦେଖିବାକୁ ଆସିପାରି ନାହାନ୍ତି। ଗାଁ ଲୋକେ ଓ ବନ୍ଧୁପରିଜନ ଶବ ଛୁଇଁବାକୁ ପ୍ରଥମେ ଅମଙ୍ଗ ହେଉଥିବା ବେଳେ ପୁଲିସ ହସ୍ତକ୍ଷେପ ପରେ ସେମାନେ ରାଜି ହୋଇ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।