ଭୁବନେଶ୍ୱରରେ କୋଭିଡ ହସ୍ପିଟାଲର ୩ କର୍ମଚାରୀଙ୍କ ସମେତ ୯ କରୋନା ପଜିଟିଭ ଚିହ୍ନଟ; ଜଣେ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱରରୁ ଆଉ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କୋଭିଡ ହସ୍ପିଟାଲରେ ୩ କର୍ମଚାରୀ ରହିଛନ୍ତି। ସେହିପରି ୪ ଜଣ ହୋମ କ୍ୱାରେଣ୍ଟାଇନ ଓ ଆଉ ୨ ଜଣ ସାଧାରଣରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଭୁବନେଶ୍ୱର କୋଭିଡ ହସ୍ପିଟାଲର ୩ କର୍ମଚାରୀ(୩୬ ବର୍ଷୀୟ ଯୁବକ, ୩୭ ବର୍ଷୀୟ ଯୁବକ ଓ ୩୦ ବର୍ଷୀୟ ଯୁବତୀ)ଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ହୋମ କ୍ୱାରେଣ୍ଟାଇନରେ ଥିବା ୪ ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ସେମାନଙ୍କ ମଧ୍ୟରେ ଜଣେ ବିଡିଏ କଲୋନୀ ଅଞ୍ଚଳର ୨୯ ବର୍ଷୀୟ ଯୁବତୀ ଯିଏକି ବିହାର ଫେରନ୍ତା, ଭୀମପୁର ଅଞ୍ଚଳର ୪୬ ବର୍ଷୀୟ ପୁରୁଷ ଦିଲ୍ଲୀ ଫେରନ୍ତା, ଭୀମପୁର ୟୁନିଟ-୬ ଅଞ୍ଚଳର ୨୩ ବର୍ଷୀୟ ଯୁବତୀ କୋଲକାତା ଫେରନ୍ତା ଓ ନିରଙ୍କରି ନଗର ସାଲିଆ ସାହି ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବକ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡ଼ିଛି।

ସେହିପରି ସାଧାରଣରୁ ଚିହ୍ନଟ ହୋଇଥିବା ୨ ଜଣ ମହିମା ନଗର ଅଞ୍ଚଳର ୫୩ ବର୍ଷୀୟ ପୁରୁଷ ଓ ୧୪ ବର୍ଷୀୟ ଯୁବକ ବୋଲି ସୂଚନା ଦିଆଯାଇଛି। ତେବେ ସେମାନେ ନିକଟରେ ଏକ ଘରୋଇ ହସ୍ପିଟାଲର କରୋନା ଚିହ୍ନଟ ହୋଇଥିବା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ।

ସେହିପରି ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ଡମଣା ଅଞ୍ଚଳର ୨୫ ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି। ଏଥିସହିତ ବର୍ତ୍ତମାନ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଛି। ସେଥିରୁ ୮୨ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।