ଋଣ ଆଦାୟ ନାମରେ ମାଇକ୍ରୋଫାଇନାନ୍ସ କମ୍ପାନୀର ଜୁଲମ ଅଭିଯୋଗ ଜିଲ୍ଲା By Nitidin On Jun 18, 2020 Share ଦେବଗଡ଼,ଏନ୍ଏନ୍ଏସ୍: ଚିଟଫଣ୍ଡ ଭଳି ସଂସ୍ଥା ଖୋଲି ଗ୍ରାମଞ୍ଚଳରେ ମହିଳାମାନଙ୍କୁ ଉଚ୍ଚ ସୁଧ ହାରରେ ଋଣ ଯୋଗାଉଥିବା ବିଭିନ୍ନ ମାଇକ୍ରୋଫାଇନାନ୍ସ ସଂସ୍ଥା ବର୍ତ୍ତମାନ ଋଣ ଆଦାୟ କରିବା ନାମରେ ମହିଳା ଗୋଷ୍ଠୀମାନଙ୍କୁ ମାନସିକ ଯନ୍ତ୍ରଣା ଦେବା ସହ ଅସହ୍ୟ ଜୁଲମ କରୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ରିଆମାଳ ବ୍ଲକ୍ ଗୈଶ୍ୟପଡ଼ା ଗ୍ରାମରେ ଶତାଧିକ ମହିଳାଙ୍କୁ ନେଇ ଗୋଷ୍ଠୀଗଠନ କରାଯାଇ ଅନ୍ନପୂର୍ଣ୍ଣା, ସମ୍ବନ୍ଧ, ଏସକେଏସ, ସତିନ, ଏଚଡିଏଫସି ଭଳି ବିଭିନ୍ନ ମାଇକ୍ରୋଫାଇନାନ୍ସ ସଂସ୍ଥା ଉଚ୍ଚ ସୁଧ ହାରରେ ଋଣ ପ୍ରଦାନ କରିଥିଲେ। ଏନେଇ କମ୍ପାନୀ ଦ୍ୱାରା ପ୍ରତି ସପ୍ତାହରେ ଏଜେଣ୍ଟଙ୍କ ଜରିଆରେ ଋଣ ଅସୁଲ କରାଯାଇଥାଏ। ମାତ୍ର ଗତ ମାର୍ଚ୍ଚ ମାସଠାରୁ କରୋନା ସଂକ୍ରମଣ ଯୋଗୁଁ ଦେଶ ବ୍ୟାପୀ ଲକଡାଉନ କରାଯାଇଥିବାରୁ ଗ୍ରାମାଞ୍ଚଳର ଜନସାଧାରଣଙ୍କ ରୋଜଗାର ବେଶ ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ ମାଇକ୍ରୋଫାଇନାନ୍ସ କମ୍ପାନୀମାନଙ୍କ ପକ୍ଷରୁ ଘରକୁ ଘର ଯାଇ ଋଣ ଅର୍ଥ ଅଦାୟ କରି ମାନସିକ ଚାପ ସୃଷ୍ଟି କରୁଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି। ଫଳରେ ଆଜି ଗୈଶ୍ୟପଡ଼ା ଗ୍ରାମର ମନ୍ଦାକିନୀ ଗଡତିଆଙ୍କ ନେତୃତ୍ୱରେ ଅଞ୍ଜଳୀ ନାଏକ, ଅନୁରାଧା ନାଏକ, ଲିଲି ଗଡତିଆ, ରଞ୍ଜିତା ଗଡତିଆଙ୍କ ସମେତ ବହୁ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏ ସମ୍ପର୍କରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ସେମାନଙ୍କୁ ଋଣ ପରିଶୋଧ ପାଇଁ ଅଧିକ ସମୟ ପ୍ରଦାନ ସହ ଋଣ ଅର୍ଥର କିଛି ଅଂଶ ଛାଡ ପାଇଁ ଉପରୋକ୍ତ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାମାନଙ୍କୁ ଋଣ ପରିଶୋଧ ପାଇଁ ଗ୍ରାହାକଙ୍କୁ ଅଧିକ ସମୟ ଦେବା ସହ ସୁଧ ହାରରେ ପରିବର୍ତ୍ତନ କରିଥିବା ବେଳେ ଗ୍ରାମଞ୍ଚଳ ଗୁଡିକରେ ଘରୋଇ ମାଇକ୍ରୋଫାଇନାନ୍ସ ସଂସ୍ଥାମାନଙ୍କ ଜୋର ଜୁଲୁମ ସରକାରୀ ନିର୍ଦ୍ଦେଶ ନାମାକୁ ଫୁ କରିଛି। ଏଣୁ ଜିଲ୍ଲା ପ୍ରଶାସନ ଦେବଗଡ଼ ଜିଲ୍ଲାରେ ବ୍ୟବସାୟ କରୁଥିବା ଘରୋଇ ମାଇକ୍ରୋଫାଇନାନ୍ସ ସଂସ୍ଥାମାନଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍କୁଶ ଲଗାଇବାକୁ ମହିଳା ସଂଗଠନ ଦାବି କରିଛି। Share