ସେନାରେ ଯୋଗ ଦେଲେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ମେଜର ବିଭୁତିଙ୍କ ପତ୍ନୀ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ଜୀବନ ହାରିଥିବା ସହିଦ ମେଜର ବିଭୁତି ଶଙ୍କର ଢୋଣ୍ଡିୟାଲଙ୍କ ପତ୍ନୀ ନିକିତା କୌଲ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ଲେଫଟନାଣ୍ଟ ଜେନେରାଲ ବାଇକେ ଯୋଶୀ ନିଜ ହାତରେ ନିକିତାଙ୍କ କାନ୍ଧରେ ଷ୍ଟାର ପିନ୍ଧାଇଛନ୍ତି। ଦେଶର ସେବା ପାଇଁ ସେନାରେ ଭର୍ତ୍ତି ହୋଇଥିବା ନିକିତା ପ୍ରଥମଥର ପାଇଁ ସେନା ପୋଷାକ ପିନ୍ଧିଛନ୍ତି। ନିକିତା ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କର୍ପୋରେଟ ୱାର୍ଲ୍ଡ ଛାଡ଼ି ସେନାରେ ଯୋଗ ଦେଇଛନ୍ତି। ଏହି ଅବସରରେ ନିକିତି ତାଙ୍କ ଶାଶୁ ମା’ ଓ ମା’ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢ଼ିବାକୁ ନିକିତା ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି।

ସୂଚନାଯୋଗ୍ୟ, ମେଜର ବିଭୁତି ଶଙ୍କର ଢୋଣ୍ଡିୟାଲ ୨୦୧୯ ମସିହାରେ ପୁଲୱାମା ଆକ୍ରମଣରେ ସହିଦ ହେବାର ୬ ମାସ ପରେ ନିକିତା ସର୍ଟ ସର୍ଭିସ କମିଶନ ପରୀକ୍ଷା ଏବଂ ସେବା ଚୟନ ବୋର୍ଡ ଇଣ୍ଟରଭ୍ୟୁରେ ପାସ କରିଥିଲେ। ପରେ ସେ ଚେନ୍ନାଇରେ ଅଧିକାରୀ ପ୍ରଶିକ୍ଷଣ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ। ୨୦୧୯ରେ ଏକ ସାକ୍ଷାତକାରରେ ସହାନୁଭୂତି ଦେଖାଇବା ଅପେକ୍ଷା ସାଥୀରେ ଦୃଢ଼ଭାବେ ଛିଡ଼ା ହେବାକୁ ନିକିତା ନିବେଦନ କରିଥିଲେ।