ପତ୍ନୀ ହତ୍ୟାକାରୀ ସ୍ଵାମୀ ଗିରଫ

ରାୟଗଡ଼,ଏନ୍ଏନ୍ଏସ୍: ହତ୍ୟାକାରୀ ସ୍ୱାମୀ ଗିରଫ। ସାତ ଜନ୍ମ ପାଇଁ ସାଥି ହେବା ପାଇଁ ବିବାହ ବେଦୀରେ ନେଇଥିଲେ ଶପଥ। ହେଲେ ନିଜ ଭିତରେ ଅବୁଝାମଣାକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଚିନାସାରି ଗ୍ରାମର ସୁରେନ୍ଦ୍ର ଶବର ଗୁଣୁପୁରର ଗୌରୀ ବାଉରୀଙ୍କୁ ୧୦ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ମଧ୍ୟରେ ଟିକିଏ ଟିକିଏ କଥାରେ ମନ ମାଳିନ୍ୟ ଦେଖାଯାଉଥିବା ପରିବାର ଲୋକେ କହିଛନ୍ତି। ଗତ ୫ ତାରିଖରେ ସୁରେନ୍ଦ୍ର ନିଜ ପତ୍ନୀ ଗୌରୀଙ୍କୁ ତଣ୍ଟି ଚିପି ହତ୍ୟା କରି ନିକଟସ୍ଥ କୁରୁଗୁଡା ଜଙ୍ଗଲ ନିକଟରେ ଥିବା ଅମରି ବୁଦାରେ ଫୋପାଡ଼ି ଦେଇଥିଲେ।

ବାପଘର ପକ୍ଷରୁ ଝିଅ ନିଖୋଜ ଥିବା ନେଇ ଗୁଣୁପୁର ଥାନାରେ ଅଭିଯୋଗ ଦାଖଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏନେଇ ପୁଲିସ ସୁରେନ୍ଦ୍ରକୁ ମଧ୍ୟ ପଚରାଉଚରା କରିଥିଲା। ପତ୍ନୀ ଗୌରୀକୁ ହତ୍ୟା କରିଥିବା ସୁରେନ୍ଦ୍ର ପୁଲିସ ନିକଟରେ ସ୍ୱୀକାର କରିଥିବା ବେଳେ ଗତକାଲି ସନ୍ଧ୍ୟାରେ ଉକ୍ତ ସ୍ଥାନକୁ ଯାଇ ଗଳିତ ମୃତ ଦେହ ଉଦ୍ଧାର କରିଥିଲେ ଗୁଣୁପୁର ପୁଲିସ। ଆଜି ହତ୍ୟା ଅଭିଯୋଗରେ ସୁରେନ୍ଦ୍ରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।