ଶାହଡୋଲ ମେଡିକାଲ କଲେଜରେ ଅମ୍ଳଜାନ ଅଭାବ, ୬ ଆକ୍ରାନ୍ତ ମୃତ

ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶର ଶାହଡୋଲ ମେଡିକାଲ କଲେଜରେ ଅମ୍ଳଜାନ ଅଭାବରୁ ଶନିବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ। ଏହି ମେଡିକାଲରେ ଚିକିତ୍ସିତ ହେଉଥିବା ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି।

ଶାହଡୋଲ ମେଡିକାଲ କଲେଜର ଡିନ୍‌ ମିଲିନ୍ଦ ଶିରାଲକର କହିଛନ୍ତି ଯେ ମେଡିକାଲକୁ ଟ୍ୟାଙ୍କର ମାଧ୍ୟମରେ ଅକ୍ସିଜେନ ଯୋଗାଣ ହୋଇଥାଏ। କିନ୍ତୁ ଅକ୍ସିଜେନ ଆବଶ୍ୟକ କରୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବାରୁ ଏହାର ଯୋଗାଣ କମିଯାଇଛି। ଅକ୍ସିଜେନ ଟ୍ୟାଙ୍କର ଉପରେ ଚାପ ପଡୁଥିବା ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଛି ବୋଲି ଶିରାଲକର କହିଛନ୍ତି। ଏହି ମେଡିକାଲ କଲେଜରେ ଅମ୍ଳଜାନ ଆବଶ୍ୟକ କରୁଥିବା ପ୍ରାୟ ୧୦୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ। ଅକ୍ସିଜେନ୍ ଅଭାବରୁ ଶନିବାର ବିଳମ୍ବିତ ରାତିରେ ଆଇସିୟୁରେ ଚିକିତ୍ସିତ ହେଉଥିବା ୬ ଜର କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଏହି ମେଡିକାଲରେ ପୂର୍ବରୁ ମଧ୍ୟ ଅମ୍ଳଜାନ ଅଭାବରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ଡିନ ସୂଚନା ଦେଇଛନ୍ତି। ଅନ୍ୟପଟେ ଶାହଡୋଲ ଜିଲ୍ଲାର ଜିଲ୍ଲାପାଳ ମେଡିକାଲରେ ଅମ୍ଳଜାନ ଅଭାବରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା କହୁଥିବା ବେଳେ ଡିନଙ୍କ ଅନୁଯାୟୀ ୬ ଜଣଙ୍କର ମୃତ୍ୟୁ ଘଟିଛି।