ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଇକେରା ଥାନା ଅନ୍ତର୍ଗତ ନନ୍ଦମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାମୁଛାରେ ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ହତ୍ୟା କରିଛି। ମୃତ ମହିଳା ଜଣକ ସୁରୁବାଲିି ନାୟକ (୪୫) ବୋଲି ଜଣାପଡ଼ିଛି। ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ ରବି ନାୟକକୁ ଲଇକେରା ପୁଲିସ ଅଟକ ରଖିଛି।

ମିଳିଥିବା ରିପୋର୍ଟ ମୁତାବିକ, ରବି ଓ ସୁରୁବାଲି ମଧ୍ୟରେ ଗତକାଲି ସଂଧ୍ୟାରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ତେବେ ଆଜି ସକାଳେ ଉଭୟେ ମହୁଲ ଗୋଟାଇବା ପାଇଁ ଯାଇଥିଲେ। ସେଠାରେ ପୁଣି ତାଙ୍କର ବଚସା ହେବାରୁ ରବି ଉତ୍ତ୍ୟକ୍ତ ହୋଇ ଧରିଥିବା ଏକ ଗାମୁଛାରେ ସୁରବାଲିର ତଣ୍ଟିକୁ ଜୋରରେ ଚାପି ଧରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ସୁରବାଲିର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁରୁବାଲିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ରବିକୁ ଅଟକ ରଖିଛି। ଅଧିକ ତଦନ୍ତ ପାଇଁ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ପଚରାଉଚୁରା କରୁଥିବା ସୂଚନା ମିଳିଛି।