ଆକ୍ସନ ମୋଡରେ ମୋଦୀ: ଟିକା ଅପଚୟ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି। ଏହି ଅବସରରେ ମୋଦୀ କରୋନାର ପ୍ରଭାବ ଓ ଭ୍ୟାକ୍ସିନ ଉପରେ ଚର୍ଚ୍ଚା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୈଠକରେ ଅନୁପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦୀ କହିଛନ୍ତି ଯେ, କରୋନା ବିରୋଧରେ ଦେଶର ଲଢ଼େଇକୁ ବର୍ଷେ ପୁରିଯାଇଛି। ଭାରତର ଲୋକମାନେ ଯେଉଁଭଳି କରୋନାକୁ ସାମ୍ନା କରିଛନ୍ତି ତାହା ସମଗ୍ର ବିଶ୍ୱ ପାଇଁ ଉଦାହରଣ ପାଲଟିଯାଇଛି। ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି। ମୃତ୍ୟୁ ହାରରେ ମଧ୍ୟ ଭାରତ ଖୁବ୍ ପଛରେ ରହିଛି। କରୋନାର ଏହି ଦ୍ୱିତୀୟ ଲହରକୁ ଯଥାଶୀଘ୍ର ରୋକିବା ଲାଗି ଆମକୁ ପଦକ୍ଷେପ ନେବାକୁ ପଡ଼ିବ।

ମୋଦୀ ଆହୁରି କହିଛନ୍ତି ଯେ, ଲୋକଙ୍କୁ ଭୟଭୀତ ନକରି ଆମେ ସଚେତନ କରିବା ଦରକାର। ଯେଉଁଠି ଜରୁରୀ ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ। ଆବଶ୍ୟକ ଥିଲେ କଣ୍ଟେନମେଣ୍ଟ ଓ ସର୍ଭେଲାନ୍ସ କରାଯାଉ। ସହରରୁ ଯେପରି ଗାଁକୁ ନବ୍ୟାପିବ ସେଥିପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ହେଉ। ଟେଷ୍ଟ, ଟ୍ରାକ୍ ଓ ଟ୍ରିଟକୁ ନେଇ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ଦେଶର ସବୁ ରାଜ୍ୟରେ ଆଟିପିସିଆର ଟେଷ୍ଟ ବଢ଼ାଯାଉ। ଓଡ଼ିଶା ଓ ବିହାର ଆଦି ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ବେଶୀ ହେଉଛି। ସେସବୁକୁ ବଦଳାଇ ଆରଟିପିସିଆର ଟେଷ୍ଟ କରାଯାଉ। ବିଦେଶାଗତଙ୍କ ପରୀକ୍ଷା ଓ କଣ୍ଟାକ୍ଟ ଟ୍ରେସିଂ ପ୍ରତି ଗୁରୁତ୍ୱ ଦେବା ଜରୁରୀ। ଅନେକ ରାଜ୍ୟରେ ଟିକା ନଷ୍ଟ ହେଉଥିବା ଖବର ସାମ୍ନାକୁ ଆସିଛି। ଟିକା ନଷ୍ଟ ହେବାର ଅର୍ଥ ଆମେ ଜଣଙ୍କର ଅଧିକାର କ୍ଷୁର୍ଣ୍ଣ କରୁଛୁ। କୌଣସି ଲୋକର ଟିକା କ୍ଷୁଣ୍ଣ କରିବାର ଅଧିକାର ଆମର ନାହିଁ। ଟିକାର ଶୂନ ଅପଚୟକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ। ମିଶନ ମୋଡରେ କାମ କଲେ ଟିକା ଅପଚୟ କମିବ।