କରୋନା ତଦନ୍ତ ପାଇଁ ଡବ୍ଲ୍ୟୁଏଚଓ ଯିବ ଚୀନ୍

ଜେନେଭା,ଏଜେନ୍ସି: କୋଭିଡ୍ ଭୂତାଣୁର ଉତ୍ପତ୍ତି ସ୍ଥଳ ଚୀନର ଉହାନ ବୋଲି ଆମେରିକା ସମେତ ବିଶ୍ୱର ବହୁରାଷ୍ଟ୍ର ସନ୍ଦେହ କରୁଥିଲାବେଳେ ଆସନ୍ତା ଜାନୁୟାରୀରେ ଏହାର ତଦନ୍ତ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ଏକ ଟିମ୍ ସେଠାକୁ ଯିବେ । ଡବ୍ଲ୍ୟୁଏଚଓ ପକ୍ଷରୁ ଏ ସମ୍ପର୍କରେ ଘୋଷଣା କରାଯିବା ପରିପ୍ରେକ୍ଷୀରେ ଚୀନ୍ ଏହାକୁ ସ୍ୱାଗତ କରିଛି। ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଡବ୍ଲ୍ୟୁଏଚଓର ଆଞ୍ଚଳିକ ନିର୍ଦ୍ଦେଶକ ବାବାତୁଣ୍ଡେ ୱଲୋଓକୁରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ଚୀନ୍ ଅନ୍ତର୍ଜାତୀୟ ଟିମର ଗସ୍ତକୁ ସ୍ୱାଗତ ଜଣାଇଛି। ତେବେ ଏ ସମ୍ପର୍କରେ ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ୍ ସିଧାସଳଖ କୌଣସି ମନ୍ତବ୍ୟ ଦେଇନାହାନ୍ତି।