ରାଇକିଆକୁ ଏନଏସି ମାନ୍ୟତାଦାବି ଜୋର ଧରିଲା

ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ରାଇକିଆକୁ ଏନଏସି ଘୋଷଣା ପାଇଁ ଦାବି ଜୋର ଧରିଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ରାଇକିଆ ଜିଲ୍ଲାର ଏକ ପ୍ରଗତିଶୀଳ ସହର ହୋଇଥିବା ବେଳେ ସହରବାସୀ ଆବଶ୍ୟକ ଅନୁଯାୟୀ ସୁବିଧା ପାଇ ପାରୁନାହାଁନ୍ତି। ଦିନକୁଦିନ ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଇକିଆ ସହରର ବିକାଶ ତଥା ଜରୁରୀ ଆବଶ୍ୟକ ପାଇଁ ପଞ୍ଚାୟତ ଅନୁଦାନ ଯଥେଷ୍ଟ ହୋଇ ପାରୁନାହିଁ।

ବିଶେଷ କରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ୪୦ବର୍ଷ ତଳରପୁରୁଣା ଯୋଜନାରେ ଚାଲିଛି। ସବୁ ଘରେ ପାଇପ ଯୋଗେ ପାନୀୟଜଳ ଯୋଗାଣ ହୋଇପାରୁନାହିଁ। ରାସ୍ତା ଘାଟ ନିର୍ମାଣ ମଧ୍ୟ ଆବଶ୍ୟକ ଅନୁଯାୟୀ ହୋଇପାୁନାହିଁ। ରାଜସ୍ୱ ବିଭାଗ ତରଫରୁ ଭୁସମ୍ପତି ମୂଲ୍ୟାଙ୍କନ ସହରାଞ୍ଚଳ ଭାବେ କରାଯାଉଥିଲେ ମଧ୍ୟ ଏନଏସିର ମାନ୍ୟତା ମିଳିପାରୁନାହିଁ। ପରିମଳ ବ୍ୟବସ୍ଥା,ବିଦ୍ୟୁତ କରଣୀ ବ୍ୟବସ୍ଥା , ସ୍ୱାସ୍ଥ୍ୟସେବା, ଆବାସିକ ଯୋଜନା ଇତ୍ୟାଦି ଉନ୍ନୟନ କାର୍ଯ୍ୟ ଅଗ୍ରଗତି ହୋଇପାରୁନାହିଁ। ରାଇକିଆକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇଁ ଏକ ବୈଠକ ସଭାପତି ସତ୍ୟବାନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଛି । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପାଇଁ କମିଟି ତରଫରୁ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।