ପଶ୍ଚିମବଙ୍ଗକୁ ପଠାଯିବ ୭୨୫ କମ୍ପାନୀ କେନ୍ଦ୍ରୀୟ ପୁଲିସ ଫୋର୍ସ

ନୂଆଦିଲ୍ଲୀ,ଏଜେନ୍ସି: ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭାର ୨୯୪ ଆସନ ନିମନ୍ତେ ଆଠଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ବର୍ତ୍ତମାନ ଏହି ରାଜ୍ୟରେ ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡିଥିବାରୁ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବାକୁ ୭୨୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସେଠାକୁ ପଠାଯିବ ବୋଲି ସିଆରପିଏଫ ଡିଜି କୁଲଦୀପ ସିଂହ ଗୁରୁବାର ଏଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୪୧୫ କମ୍ପାନୀ ଫୋର୍ସ ଇତିମଧ୍ୟରେ ପଶ୍ଚିମବଙ୍ଗ ପହଞ୍ଚି ସାରିଛନ୍ତି। ପୁନଶ୍ଚ ୭୨୫ ମଧ୍ୟରୁ ୩୭୦ କମ୍ପାନୀ ସିଆରପିଏଫ୍ ଯବାନ ହୋଇଥିବାବେଳେ ଅବଶିଷ୍ଟ ଏସଏସବି (ସଶସ୍ତ୍ର ସୀମା ବଳ) ଯବାନ ସାମିଲ ହେବେ ବୋଲି ସେ କହିଛନ୍ତି। ଗୋଟିଏ କମ୍ପାନୀରେ ପ୍ରାୟ ୧୦୦ ଜଣ ଯବାନ ରହିଥାନ୍ତି। ନିର୍ବାଚନ କମିଶନଙ୍କ ସହ ଆଲୋଚନା ପରେ ପଶ୍ଚିମବଙ୍ଗର କେଉଁ କେଉଁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀକୁ ଅଧିକ ସଂଖ୍ୟକ ଯବାନ ପଠାଯିବ, ତାହା ଚୂଡାନ୍ତ କରାଯିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।