ନୂଆପଡ଼ାରେ ଜଳକଷ୍ଟ : ୧ କିଲୋମିଟର ଯାଇ ଚୁଆରୁ ପାଣି ଆଣୁଛନ୍ତି ମହିଳା

ନୂଆପଡ଼ା,ଏନ୍ଏନ୍ଏସ୍: ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ନୂଆପଡ଼ା ଜିଲ୍ଲାରେ ୫ଟି ବ୍ଲକ୍ରେ ପାନୀୟଜଳ କଷ୍ଟ ଆରମ୍ଭ ହେଲାଣି। ଗାଁରେ ପାଣି ସମସ୍ୟା ଯୋଗୁଁ ଚୁଆପାଣି ଏକ ମାତ୍ର ସାହା ଭରଷା । ଆଗକୁ ଆହୁରି ଗ୍ରୀଷ୍ମ ପ୍ରବାହ ବାକି ରହିଛି। ଏଭଳି ସ୍ଥିତିରେ ଜଳ କଷ୍ଟ ଗାଁ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ କିରେଝୋଲା ଗାଁ ପହରିଆପଡ଼ାରେ ପାଣି ପାଇଁ ମହିଳାମାନେ ୧ କିମି ଯାଇ ବାଲି ଚୁଆଁରୁ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଏହି ପଡ଼ାବାସୀ ପାଣି ପାଇଁ ରାତି ପାହିଲେ ହାତରେ ଗରା,ବାଲଟି ଧରି ବାହାରି ପଡ଼ନ୍ତି ଗୋଟିଏ କିମି ଦୂର ଗାଁ ନିକଟ ରେ ବୋହି ଯାଇଥିବା ନାଳ ନିକଟକୁ। ଏଠାରେ ପହରିଆ ସମ୍ପ୍ରଦାୟ ର ପ୍ରାୟ ୧୫ଟି ପରିବାର ରହୁଛନ୍ତି। ବାଉଁଶ ରେ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ବର୍ଷ ବର୍ଷ ହେଲା ଏମାନଙ୍କ ଜଳ କଷ୍ଟ ଦୂର ହେଉନି ।

ଗାଁର ପୁରୁଷମାନେ ସାଇକେଲରେ ନିକଟ ପଡୋଶୀ ଗାଁ ରୁ ପିଇବା ପାଣି ଆଣୁଥିବା ସନ୍ତରା ପହରିଆ, ଭୂଜମତି ପହରିଆ, ସେବନି ପହରିଆ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ପଡ଼ାରେ ରହିଛି ଏକ ମାତ୍ର ନଳକୂଅ । ଏଥିରେ ନାଲି ଓ ଫ୍ଲୋରାଇଡ ଯୁକ୍ତ ଗୋଳିଆ ପାଣି ବାହାରୁ ଥିବାରୁ ବ୍ୟବହାର କରୁ ନାହାନ୍ତି ଗ୍ରାମବାସୀ। ଅନେକ ସମୟରେ ନଳକୂଅ ପାଣି ବ୍ୟବହାର କରି ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ପଡ଼ାବାସୀ ପାଣି ପାଇଁ ବ୍ଳକ ତଥା ଜିଲ୍ଲା ପ୍ରଶାସନ ଙ୍କୁ ଗୁହାରୀ କରିଥିଲେ ମଧ୍ୟ ଶୁଣୁନଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆମେ ବୋଡେନ ବିଡିଓଙ୍କୁ ଯୋଗାଯୋଗ କରିଥିଲେ ମଦ୍ୟ ସେ ଫୋନ ଉଠାଇ ନଥିଲେ।