ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟରେ ନିଯୁକ୍ତ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବାରିପଦା,ଏନ୍ଏନ୍ଏସ୍: ଶିମିଳିପାଳ ଅଭୟାରଣ୍ୟର ବରହେଇପାଣି ରେଞ୍ଜର ତୁଳସୀବଣୀ ଗେଟ୍ ନିକଟ ଚାଡିରିପାହାଡ଼ ନିକଟରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ଅସ୍ଥାୟୀ କର୍ମଚାରୀ ବିର କିଶୋର ସିଂଙ୍କ ମୃତ୍ୟୁ ହୋଇଛି। ଆଜି ସେ ନିଆଁ ଲିଭା କାର୍ଯ୍ୟରେ ଉକ୍ତ ପାହାଡ଼ରେ ନିୟୋଜିତ ଥିଲେ। ଏହି ସମୟରେ ଏକ ଗୋଛ ମୂଳରୁ ସଂଜ୍ଞାହୀନ ଅବସ୍ଥାରେ ସହକର୍ମୀମାନେ ଉଦ୍ଧାର କରି ପ୍ରଥମେ ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯଶିପୁର ପୁଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପଠାଇଛି। ଅତ୍ୟଧିକ ଗରମ କିମ୍ବା କୌଣସି ବିଷାକ୍ତ କୀଟ ଆକ୍ରମଣ କରିଥିବା ଅନୁମାନ କରୁଥିଲେ ବି ବନଭିବାଗ କହୁଛି ସେ ଭାତ ଖାଉଥିବା ବେଳେ ହଠାତ୍ ଓଲଟି ପଡ଼ିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।