ବଢ଼ୁଛି ବଡନାଳ ଡ୍ୟାମ୍ ଜଳସ୍ତର: ଖୋଲିଲା ଆଉ ଗୋଟିଏ ଗେଟ୍

ରାୟଗଡ଼ା,ଏନ୍ଏନ୍ଏସ୍: ବଡନାଳ ଡ୍ୟାମ ଜଳସ୍ତର ବଢ଼ୁଥିବାରୁ ଆଜି ସନ୍ଧ୍ୟାରେ ପୁଣି ୧ଟି ଗେଟ ଖୋଲିଥିବାବେଳେ ମୋଟ ୪ଟି ଗେଟରେ ଜଳ ନିଷ୍କାସିତ ହେଉଛି। ଘଣ୍ଟାକୁ ୧୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ରାତିରେ ଜଳସ୍ତର ବଢ଼ିଲେ ଆଉ ଦୁଇଟି ଗେଟ୍ ଖୋଲିବ, ଯାହାଦ୍ୱାରା ଘଣ୍ଟାକୁ ୨୦ରୁ ୩୦ କ୍ୟୁସେକ୍ ଜଳ ନିଷ୍କାସିତ ହେବ ବୋଲି ବଡନାଳ ଡ୍ୟାମ୍ ନିର୍ବାହୀ ଯନ୍ତ୍ରୀ ଇଂ. ସରୋଜ କୁମାର ଗୁପ୍ତା ସୂଚନା ଦେଇଛନ୍ତି।

ଆନ୍ଧ୍ର ଉପକୂଳ ସଂଲଗ୍ନ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାୟଗଡ଼ାରେ ବର୍ଷା ଜାରି ରହିଛି। ଗତକାଲି ଜିଲ୍ଲାରେ ୩୪୯ ମିମି ବର୍ଷା ରେକର୍ଡ କରାଯାଇଛି। ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଡ୍ୟାମର ସର୍ବୋଚ୍ଚ ଜଳସ୍ତର ଲେଭଲ୍ ୧୭୬ ମିଟର ଥିବା ବେଳେ ଏହା ସନ୍ଧ୍ୟା ସୁଦ୍ଧା ୧୭୫.୬ ମିଟରରେ ପହଞ୍ଚିଛି। ଡ୍ୟାମରେ ୮୮ ପ୍ରତିଶତ ଜଳ ଭର୍ତ୍ତି ହେବା ପରେ ଗେଟ ଖୋଲିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଗେଟ୍ ଖୋଲିବା ପୂର୍ବରୁ ଜଳ ଭଣ୍ଡାର ତଳ ଅଞ୍ଚଳ ତଥା ନଦୀ କୂଳିଆ ଗ୍ରାମରେ ବାସୀଙ୍କୁ ସତର୍କ କରାଯାଇଛି। ଜିଲ୍ଲାରେ ଆଜି ୨୫.୨ ମିଲିମିଟର ବର୍ଷା ହୋଇଛି। କୌଣସି ଅଞ୍ଚଳରେ ବଡ଼ ଧରଣର ବର୍ଷା ହୋଇନଥିବା ସତ୍ତ୍ବେ ଜଳଭଣ୍ଡାରରେ ପାଣି ଫୁଲୁଛି। ଫଳରେ ରାତି ସୁଦ୍ଧା ଡ୍ୟାମର ଜଳ ଧାରଣ କ୍ଷମତାକୁ ପାଣି ଟପିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୨ ତାରିଖରେ ଡ୍ୟାମର ୨ଟି ଗେଟ୍ ଖୋଲିଥିଲା।