ସରକାରୀ ଚାକିରିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବ ପଞ୍ଜାବ ସରକାର

ଚଣ୍ଡୀଗଡ଼,ଏଜେନ୍ସି: ପଞ୍ଜାବ ସରକାର ମହିଳା ସଶକ୍ତିକରଣକୁ ନୂଆ ଦିଶା ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ ଚାକିରି କ୍ଷେତ୍ରରେ ପଞ୍ଜାବ ସରକାର ୩୩ ପ୍ରତିଶତ ମହିଳା ଆରକ୍ଷଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହିତ ସରକାରୀ କ୍ଷେତ୍ରରେ ମହିଳାଙ୍କୁ ଆରକ୍ଷଣ ଦେବାରେ ପଞ୍ଜାବ ଦ୍ୱିତୀୟ ରାଜ୍ୟ ହୋଇଯାଇଛି। ଏହାପୂର୍ବରୁ ବିହାରର ନୀତିଶ ସରକାର ମହିଳାଙ୍କ ପାଇଁ ୩୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ।

ରାଜ୍ୟ ମନ୍ତ୍ରୀମଣ୍ଡଳ ପଞ୍ଜାବ ସିବିଲ ସେବା ନିୟମ, ୨୦୨୦କୁ ମଞ୍ଜୁରୀ ମିଳିବା ଫଳରେ ସରକାରୀ ପଦରେ ସିଧାସଳଖ ଭର୍ତ୍ତି ପାଇଁ ମହିଳାଙ୍କୁ ଆରକ୍ଷଣ ପ୍ରଦାନ କରାଯିବ। ଏଥିସହିତ ସେମାନଙ୍କୁ ଗ୍ରୁପ ଏ, ବି, ସି ଓ ଡି ପୋଷ୍ଟରେ ବୋର୍ଡ ଓ ନିଗମରେ ଭର୍ତ୍ତି କରାଯାଇପାରିବ।