ଦାରିଙ୍ଗବାଡି ରାସ୍ତା ଅସ୍ଥାୟୀ କଲଭର୍ଟ ଉପରେ ପାଣି, ଯାନବାହାନ ଚଳାଚଳ ବନ୍ଦ

ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମୂରୁଡ଼ିକୁପୁଡା ଠାରେ ଥିବା ଅସ୍ଥାୟୀ ପୋଲ ଉପରେ ପୁଣି ବର୍ଷା ପାଣି ପ୍ରବାହିତ ହେବାରୁ ରାଇକିଆ-ଦାରିଙ୍ଗବାଡି ରାସ୍ତାରେ ଯାତାୟତ ବନ୍ଦ ରହିଛି। ଗତ ରବିବାର ଦିନ ଲଗାଣ ବର୍ଷାରେ ଅସ୍ଥାୟୀ ପୋଲ ଧୋଇଯିବା ଯୋଗୁଁ ୪ଦିନ ଯାନବାହାନ ଚଳାଚଳ ବନ୍ଦ ରହିଥିଲା।

ତାହାକୁ ମରାମତି କରାଯିବା ପରେ ଗମନାଗମନ ସ୍ଵାଭାବିକ ହୋଇଥିଲା। ଗତକାଲି ଠାରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ପୁଣି ମରାମତି ହୋଇଥିବା ଅସ୍ଥାୟୀ ପୋଲ ଉପରେ ଆଜି ସକାଳୁ ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି।