ଦେବଗଡ଼,ଏନ୍ଏନ୍ଏସ୍: କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ ଚାଷୀ ମୁଖ୍ୟତଃ କୃଷି କାର୍ଯ୍ୟ ଉପରେ ନୀର୍ଭରଶୀଳ ହୋଇଥିବା ବେଳେ ଜିଲ୍ଲାର ଅର୍ଥନୀତି କୃଷି ଉପରେ ସମ୍ପୂର୍ଣ୍ଣ ନୀର୍ଭରଶୀଳ। ଏହାକୁ ଆଖିଆଗରେ ରଖି ରାଜ୍ୟ ସରକାର ୧୯୭୬ ମସିହାରେ ତିଲେଇବଣୀ ବ୍ଲକ ଦୁଧିଆନାଳୀ ପଞ୍ଚାୟତ ଅନ୍ତର୍ଗତ ଗୋହିରା ଠାରେ ଏକ ନଦୀବନ୍ଧ ନିର୍ମାଣ କରାଯାଇ ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ। ୨୮ ମିଟର ଉଚ୍ଚତା ଓ ୩ ହଜାର ୫ ଶହ ୫୦ ମିଟର ବିଶିଷ୍ଟ ମାଟି ନଦୀବନ୍ଧର ୫ଟି ଗେଟ ନିର୍ମାଣ କରାଯାଇଥିବା ବେଳେ ଏହି ଜଳ ଭଣ୍ଡାରର ପୂର୍ଣ୍ଣସ୍ତର ୨୩୫.୫୦ ମିଟର ଓ ସର୍ବାଧିକ ଜଳଧାରଣ କ୍ଷମତା ୨୩୬ ମିଟର ରଖାଯାଇଥିଲା। ଏହି ପ୍ରକଳ୍ପ ନିର୍ମାଣରେ ୪ଟି ଗ୍ରାମ ସମ୍ପୂର୍ଣ୍ଣ ବୁଡିଥିବା ବେଳେ ୭ଟି ଗ୍ରାମ ଆଂଶିକ କ୍ଷତିଗ୍ରସ୍ତ ହୋଇ ବହୁ ଜନସାଧାରଣ ବିସ୍ଥାପିତ ହୋଇଥିଲେ।
୧୯୮୧ ମସିହାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ କେନାଲ ମାଧ୍ୟମରେ ୮୮ଟି ଗ୍ରାମରେ ଖରିଫ ଋୁତୁରେ ଶତ ପ୍ରତିଶତ ଓ ରବି ଋୁତୁରେ ୪୨ ପ୍ରତିଶତ ଚାଷ କାର୍ଯ୍ୟରେ ଜଳସେଚନ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଥିଲା। ଏହି ମଧ୍ୟମ ଜଳ ସେଚନ ପ୍ରକଳ୍ପ ଅଧୀନରେ ୧୯ଟି ପାଣି ପଞ୍ଚାୟତ କାର୍ଯ୍ୟ କରୁଥିବାବେଳେ ରକ୍ଷଣାବେକ୍ଷଣ ନିମନ୍ତେ ସରକାରୀ ରାଜ କୋଷରୁ ପ୍ରତ୍ୟେକ ବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଏହି ପ୍ରକଳ୍ପର ଜଳ ଭଣ୍ଡାର ଦିନକୁ ଦିନ ପୋତି ହୋଇ ଜଳ ଧାରଣ କ୍ଷମତା କମିବାରେ ଲାଗିଛି। ଫଳସ୍ୱରୂପ ଉପର ମୁଣ୍ଡରେ ବର୍ଷା ହେଲେ ମଧ୍ୟ ଏହି ନଦୀ ବନ୍ଧରେ ଗଚ୍ଛିତ ଜଳ ରହିପାରୁ ନାହିଁ।
ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଗୋହିରା ନଦୀ ବନ୍ଧ ଉପର ମୁଣ୍ଡରେ ବର୍ଷା ନହେବା କାରଣରୁ ନଦୀ ବନ୍ଧଟି ଶୁଖିଲା ହୋଇ ପଡିଛି। ଜଳ ଭଣ୍ଡାର ମଧ୍ୟରେ ଗୋରୁ ଛେଳି ଚରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସେହିପରି ସର୍ବାଧିକ ୨୩୬ ମିଟର ଜଳଧାରଣ କ୍ଷମତା ବିଶିଷ୍ଟ ଏହି ନଦୀବନ୍ଧରେ ବର୍ତ୍ତମାନ ଜଳସ୍ତର ଶୂନ୍ୟକୁ ଚାଲି ଆସିଥିବା ବେଳେ ଚାଷୀ ମୁଣ୍ଡରେ ଚଡ଼କ ସଦୃଶ୍ୟ ଦେଖିବାକୁ ମିଳିଛି। ଜଳ ଶୂନ୍ୟ ନଦୀବନ୍ଧ ଭାବେ ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ ସମ୍ଭବତଃ ରାଜ୍ୟର ପ୍ରଥମ ମଧ୍ୟମ ଜଳ ସେଚନ ପ୍ରକଳ୍ପ ଭାବେ ପରିଚୟ ସୃଷ୍ଟି କରିଛି। ଫଳରେ ଏହି ନଦୀବନ୍ଧ ନିର୍ମାଣର ଉଦ୍ଦେଶ୍ୟ ସାଧିତ ହୋଇ ନପାରି ଚଳିତ ଖରିଫରେ ଦେଖାଦେଇଥିବା ଆସନ୍ନ ମରୁଡି ସମୟରେ ଚାଷୀଙ୍କ ସ୍ୱାର୍ଥରେ ଏହି ନଦୀବନ୍ଧ ଯୋଜନାର କୌଣସି ସୁଫଳ ମିଳିପାରୁ ନାହିଁ।