ଦଶମ ପରୀକ୍ଷା ଫଳରେ ସାଂଘାତିକ ବ୍ୟତିକ୍ରମ ୯ମ’ରେ ଟିସି ନେଇଥିବା ଛାତ୍ର ଦଶମ ପାସ୍

ରାୟଗଡା,ଏନ୍ଏନ୍ଏସ୍: ମହାମାରୀ କରୋନା ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରି ବାନ୍ଧି ଦେଇଥିବା ବେଳେ ସଦ୍ୟ ପ୍ରକାଶିତ ଦଶମ ପରୀକ୍ଷା ଫଳ ଅନେକ ମେଧାବୀଙ୍କୁ ନିରାଶ କରିଥିବା ବେଳେ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଫଳକୁ ନେଇ ଉତ୍ସାହିତ ହୋଇଛନ୍ତି। ଯେଉଁଠି ବ୍ୟତିକ୍ରମ ଦେଖାଦେଇଛି ସେହି ସ୍ଥାନରେ ସ୍କୁଲ କର୍ତ୍ତପକ୍ଷ ମଧ୍ୟ ପ୍ରତିକାର ପାଇଁ କୌଣସି ବାଟ ଖୋଲିନାହାନ୍ତି। ସବୁଠୁ ବିଡମ୍ବନାର କଥା ନବମ ଶ୍ରେଣୀରେ ଟିସି (ବଦଳି ପ୍ରମାଣପତ୍ର) ନେଇଥିବା ଛାତ୍ର ମଧ୍ୟ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମିତି ଗୁରୁତର ବ୍ୟତିକ୍ରମ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ସ୍କୁଲ ଛାଡିଥିବା ଛାତ୍ର ଏବେ ମହାବିଦ୍ୟାଳୟରେ ନାମ ଲେଖାଇବାକୁ ଯାଉଛନ୍ତି।

ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ପିଣ୍ଟୁ ମାଝୀ ଚଳିତ ବର୍ଷ ଜାନୁଆରୀ ମାସ ୧୮ ତାରିଖ ଦିନ ନବମ ଶ୍ରେଣୀରେ ଅଧାରୁ ପାଠପଢ଼ା ଛାଡି ଅନ୍ୟତ୍ର ପାଠପଢିବା ପାଇଁ ବିଦ୍ୟାଳୟରୁ ଟିସି ନେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋଚନ ଖୋରା ପିଣ୍ଟୁ ମାଝୀଙ୍କୁ ଟିସି ପାଇଁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଟିସି ନେବା ପରେ ଚଳିତ ମାଟ୍ରିକ୍ ପରୀକ୍ଷାରେ ପିଣ୍ଟୁ ୨୭୨ ନମ୍ବର ରଖି ‘ଡି’ଗ୍ରେଡ୍ ରେ ପାସ୍ କରିଛନ୍ତି। ଏପରି ବ୍ୟତିକ୍ରମ ଟିକିରି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ବିଦ୍ୟାଳୟରେ ମୋଟ ୨୧୭ ଜଣ ଦଶମ ଶ୍ରେଣୀ ପିଲାଙ୍କ ମାର୍କ ଟେବୁଲେସନ୍ ହୋଇ ମାର୍ଚ୍ଚ ମାସରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ଟିସି ନେଇଥିବା ପିଣ୍ଟୁ ମାଝୀଙ୍କ ନାମକୁ ମଧ୍ୟ ଅନଲାଇନ୍ ମାଧ୍ୟମରେ ୨୧୭ ଛାତ୍ରଛାତ୍ରୀଙ୍କ ତାଲିକାରେ ଭର୍ତ୍ତି କରାଯାଇଥିଲା। ଫଳରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦ୍ଦେଶ୍ୟମୂଳକ ଭାବେ ଛାତ୍ର ପିଣ୍ଟୁଙ୍କୁ ତାଲିକାଭୁକ୍ତ କଲେ ନାଁ ଭୁଲବଶତଃ ତାଙ୍କ ନାମ ରହିଯାଇଥିଲା ତାହା ତଦନ୍ତ ସାପେକ୍ଷ।

ଏପରି ଗୁରୁତର ବ୍ୟତିକ୍ରମକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ର ପିଣ୍ଟୁ ମାଝୀ ପାସ୍ କରିଥିବା ସୂଚନା ଥାଇ ମଧ୍ୟ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ମାଧ୍ୟମିକ ଶିକ୍ଷା ପରିଷଦକୁ ଅବଗତ କରିନଥିଲେ। ତେବେ ଗୋଟିଏ ନୁହେଁ ବିଦ୍ୟାଳୟରେ ଅନେକ ବ୍ୟତିକ୍ରମ ହୋଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି। ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋଚନ ଖୋରା ଏହି ଘଟଣାକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ରଖିନଥିବା ବେଳେ ଅନଲାଇନ୍ ମାଧ୍ୟମରେ ମାର୍କ ପ୍ରେରଣ କରିବା ସମୟରେ ଏପରି ବ୍ୟତିକ୍ରମ ହୋଇଥାଇପାରେ ବୋଲି ସେ କହିଛନ୍ତି। ଏପରି ଘଟଣା ଉପରେ ମାଧ୍ୟମିକ ଶିକ୍ଷା ପରିଷଦ କ’ଣ ପଦକ୍ଷେପ ନେବ ତାକୁ ଦେଖିବାକୁ ଅପେକ୍ଷା।