ସ୍ୱାଧୀନତା ସଂଗ୍ରାମୀଙ୍କ ଗ୍ରାମରୁ ସଂଗୃହିତ ହେଲା ଜଳ ଓ ମାଟି

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଜନ ସାଧାରଣଙ୍କ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରାଜ୍ୟର ବିଭିନ୍ନ ପ୍ରମୁଖ ନଦୀରୁ ଜଳ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଗୃହରୁ ମାଟି ସଂଗ୍ରହ କରାଯାଉଛି। ଏହିକ୍ରମରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବାରକୋଟ ବ୍ଲକ୍‌ ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀରୁ ଜଳ ଏବଂ ଉକ୍ତ ବ୍ଲକର ସ୍ୱାଧୀନତା ସଂଗ୍ରାମୀ ବ୍ରଜବନ୍ଧୁ ବେହେରା, ସୌଭାଗ୍ୟ ଚନ୍ଦ୍ର ଦ୍ବିବେଦୀ ଓ ପୌରାଞ୍ଚଳ ଅନ୍ତର୍ଗତ ଶାସନ ସାହିର ଦୟାନିଧି ଶତପଥିଙ୍କ ଗୃହରୁ ମାଟି ସଂଗ୍ରହ କରାଯାଇଛି। ଆଜି ପୂର୍ବାହ୍ନରେ ସଂକୀର୍ତ୍ତନ, ହୁଳହୁଳି ଓ ହରିବୋଲ ଧ୍ୱନୀରେ ବାରକୋଟ ବ୍ଲକ୍‌ର ପବିତ୍ର ବ୍ରାହ୍ମଣୀ ନଦୀଘାଟରୁ ଜଳ ସଂଗୃହିତ କରାଯାଇଥିଲା। ସେହିପରି ଉକ୍ତ ବ୍ଲକ୍‌ର ସ୍ବାଧିନତା ସଂଗ୍ରାମୀଙ୍କ ଗୃହରୁ ପୁଣ୍ୟ ମାଟି ଗ୍ରହଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବାରକୋଟ ବ୍ଲକ୍‌ର ବିଡିଓ ବିଜୟ କୁମାର୍ ସଏ, ସରପଞ୍ଚ ପ୍ରକାଶ କୁମାର୍ ପାଣି, ସାମାଜିକ ସୁରକ୍ଷା ଅଧିକାରୀ ସାଜନ କୁମାର ସାହୁ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ସଂକୀର୍ତନ ଦଳର ତାଳେ ତାଳେ ବ୍ରାହ୍ମଣି ନଦୀ କୂଳରୁ ଜଳ ସଂଗ୍ରହ କରାଯାଇଥିଲା। ଆସନ୍ତାକାଲି ପବିତ୍ର ଜଳ ଓ ପୁଣ୍ୟ ମାଟି ଭୁବନେଶ୍ଵର ଜୟଦେବ ଭବନକୁ ପଠାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।