ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ପପଡ଼ାହାଣ୍ଡି ସହିଦ ସ୍ମୃତି ପୀଠରୁ ମାଟି ଓ ଜଳ ଭୁବନେଶ୍ବର ଯାଇଛି। ଅକ୍ଟୋବର ଦୁଇ ତାରିଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ରାଜଧାନୀ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାଟି ଓ ଜଳ ଲାଗି ହେବ। ଏଥି ପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ପବିତ୍ର ସ୍ମୃତି ପୀଠରୁ ମାଟି ଓ ଜଳ କଳସରେ ସଂଗ୍ରହ କରି ରାଜଧାନୀକୁ ପଠାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ, ପାପଡ଼ା ହାଣ୍ଡି ବ୍ଲକ୍ ପ୍ରଶାସନ ଗୁରୁବାର ବ୍ଲକ୍ ଅଫିସ୍ ଠାରୁ ସହିଦ୍ ମିନାର ଯାଏଁ ଏକ ବିରାଟ ଶୋଭଯାତ୍ରାରେ ବାହାରିଛି।
ଭାରତର ସ୍ଵାଧିନତା ଆନ୍ଦୋଳନ ସମୟ ୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ ନବରଙ୍ଗପୁର ଜିଲ୍ଲାର ସ୍ବାଧିନତା ସଂଗ୍ରାମୀଙ୍କ ଉପରେ ବ୍ରିଟିଶ୍ ପୁଲିସ ଦ୍ବାରା ଆଖିବୁଜା ଗୁଳିମାଡ଼ରେ ତୂରୀ ନଦୀ କୂଳରେ ସହିଦ୍ ହୋଇଥିବା ବୀର ସଂଗ୍ରାମୀଙ୍କ ମୁକ ସାକ୍ଷୀ। ତୂରୀ ନଦୀର ଜଳ ଓ ସହିଦ୍ ସ୍ମୃତି ପୀଠର ପବିତ୍ର ମାଟି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଦ୍ଵାରା କଳସରେ ସଂଗ୍ରହ କରାଯାଇ ଏକ ସ୍ବତନ୍ତ୍ର ଗାଡ଼ିରେ ପବିତ୍ର ମାଟି ଓ ପବିତ୍ର ଜଳ କଳସକୁ ଭୁବନେଶ୍ଵର ପଠା ଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲପାଳ ପ୍ରଶାନ୍ତ କୁମାର ରାଉତ, ପାପଡ଼ାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜିତା ମଲ୍ଲିକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ହେମଲତା ମାଝୀ, ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେର, ସହିଦ୍ ସ୍ମୃତି କମିଟିର ସୋମନାଥ ବିଶୋଇ, ମୁନା ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ, ବରିଷ୍ଠ ନାଗରିକ, ବିଦ୍ୟାଳୟର ଛାତ୍ର ଛାତ୍ରୀ, ସ୍ଵୟଂ ସହାୟିକା ଦଳ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।