ଚହରଙ୍କ ବଦଳରେ ସ୍ଥାନ ପାଇଲେ ୱାସିଙ୍ଗଟନ ସୁନ୍ଦର

ହାଇଦ୍ରାବାଦ,ଏଜେନ୍ସି: ଭାରତୀୟ ଷ୍ଟାର ବୋଲର ଦୀପକ ଚହର ଆହତ ହୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ ସ୍ଥାନ ପାଇଛନ୍ତି ଯୁବ ବୋଲର ୱାସିଂଟନ ସୁନ୍ଦର । ଏନେଇ ବିସିସିଆଇ ଆଜି (ଶନିବାର) ସୂଚନା ଦେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦ୍ବିତୀୟ ଓ ତୃତୀୟ ଦିନିକିଆରେ ୱାସିଂଟନ ସୁନ୍ଦର ଦୀପକ ଚହରଙ୍କ ବଦଳରେ ଖେଳିବେ ।

ବିସିସିଆଇର ସର୍ବଭାରତୀୟ ବରିଷ୍ଠ ଚୟନ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାକିଥିବା ଦୁଇଟି ଦିନିକିଆ ମ୍ୟାଚ ପାଇଁ ଫାଷ୍ଟ ବୋଲର ଦୀପକ ଚହରଙ୍କ ବଦଳରେ ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କୁ ଚୟନ କରିଛି । ୱାସିଙ୍ଗଟନ ସୁନ୍ଦର ଚଳିତ ବର୍ଷ ଫେବୃଆରୀ ମାସରେ ଶେଷ ଥର ପାଇଁ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିଥିଲେ । ସେ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୪ଟି ମ୍ୟାଚ ଖେଳି ୫ଟି ୱିକେଟ ଅକ୍ତିଆର କରିବା ସହିତ ୫୭ ରନ୍‌ ସଂଗ୍ରହ କରିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ପରେ ଦୀପକ ଚହରଙ୍କ ପିଠିରେ ଆଘାତ ଲାଗିଥଲା । ଯେଉଁକାରଣରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ଚୂଡାନ୍ତ ଏକାଦଶରୁ ବାଦ ପଡିଥିଲେ । ପରେ ବିସିସିଆଇ ତାଙ୍କ ଆହତ ସମସ୍ୟା ନେଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ବାଦ୍‌ ପଡିବା ନେଇ ସୂଚନା ଦେଇଥିଲା । ବିସିସିଆଇର ମେଡିକାଲ ଟିମ ହେପାଜାତରେ ଦୀପକ ଚହର ଏବେ ଜାତୀୟ କ୍ରୀଡା ଏକାଡେମୀ ତଥା ଏନ୍‌ସିଏରେ ରହିବେ । ସେହିପରି ଟି୨୦ ବିଶ୍ବକପ ସ୍କ୍ବାଡରେ ଦୀପକ ଚହର ଷ୍ଟାଣ୍ଡବାଏରେ ରହିଛନ୍ତି ।