ଯୋଧପୁରରେ ଫାଟିଲା ଏକାଧିକ ସିଲିଣ୍ଡର: ୪ ମୃତ, ୧୬ ଆହତ

ଜୟପୁର,ଏଜେନ୍ସି: ରାଜସ୍ଥାନର ଯୋଧପୁରରେ ଭୟଙ୍କର ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟିଛି । ପ୍ରାଥମିକ ସୂଚନା ଅନୁସାରେ ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି । ଗ୍ୟାସ ଲିକ୍‌ ହେବାପରେ ପ୍ରାୟ ଏକାଧିକ ଗ୍ୟାସ ସିଲିଣ୍ଡରର ବିସ୍ଫୋରଣ ଘଟିଛି । ଆହତଙ୍କୁ ତୁରନ୍ତ ନିକଟସ୍ଥ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ନିଆଯାଇଛି । ଏହି ବିସ୍ଫୋରଣ ଜନବସତି ଅଞ୍ଚଳରେ ଘଟିଛି । ଯୋଧପୁରର ରାୱତ ନଗର ଅଞ୍ଚଳର ମାତା କା ଥାନ୍‌ରେ ଘଟିଛି ।

ଏହି ଅଘଟଣରେ ଗୁରୁତର ହୋଇଥିବା ଲୋକଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡ଼ିଛି । ଘଟଣା ଘଟିବା ପରେ ସ୍ଥାନୀୟ ଜିଲ୍ଲାପାଳ ହିମାଂଶୁ ଗୁପ୍ତା ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି । ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବା ପାଇଁ ସେ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବାଞ୍ଚଳ ପୁଲିସର ଡେପୁଟି କମିସନର ଅମ୍ରିତା ଦୁହାନ କହିଛନ୍ତି, ” ମାତା କା ଥାନ୍‌ ପୁଲିସ ଷ୍ଟେସନ ସ୍ଥିତ କୀର୍ତ୍ତି ନଗର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା ।

ଘର ମାଲିକ ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ଯୋଗାଇଥାନ୍ତି । ଏଥିଲାଗି ସେ ନିଜ ଘରେ ଗ୍ୟାସ ସିଲିଣ୍ଡର ରଖିଥାନ୍ତି । ଗୋଟିଏ ସିଲିଣ୍ଡରରୁ ଅନ୍ୟ ଏକ ସିଲିଣ୍ଡରକୁ ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ଗ୍ୟାସ ଲିକ୍‌ ହୋଇଥିଲା । ଏହାପରେ ନିଆଁ ଲଗାଯାଇଥିଲା । ଘଟଣାରେ ଅନେକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଖୋଜି ଏକ ବିଧିବଦ୍ଧ ତାଲିକା ପ୍ରସ୍ତୁତ କରାଯାଉଛି ।” ଏହାସହିତ ଜନବସତି ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ନ ରଖିବାକୁ ସେ ଲୋକଙ୍କୁ ତାଗିଦ କରିଛନ୍ତି ।

ତେବେ ଆଗକୁ ଜନବସତି ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ଷ୍ଟୋର କରି ରଖିଲେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହି ବିସ୍ଫୋରଣ ଘଟିବା ସମୟରେ ଉକ୍ତ ଅଞ୍ଚଳରେ ପ୍ରାୟ ୧୨ରୁ ଅଧିକ ପରିବାର ଉପସ୍ଥିତ ରହିଥିବା ଜଣାପଡ଼ିଛି । ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ହଠାତ ବିସ୍ଫୋରଣର ଶବ୍ଦରେ ଉକ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ଏବେ ଉକ୍ତ ଅଞ୍ଚଳରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।