ଅଧାପନ୍ତରିଆ ବାଦୀପଡା-ସଇଁନ୍ତଲା ବ୍ରିଜ: ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ

ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟ ସରକାର ଲୋକମାନଙ୍କ ଗମନା ଗମନ ସୁବିଧା ପାଇଁ ଗୁଡ଼ାଏ ଯୋଜନା କରୁଛନ୍ତି। କିନ୍ତୁ ଅବହେଳା ଯୋଗୁଁ ସରକାରଙ୍କ ଯୋଜନା ଗୁଡ଼ିକ ସଠିକ ଭାବେ କାର୍ଯ୍ୟକାରୀ ହେଇପାରୁ ନାହିିଁ। ସ୍ଥାନୀୟ ଶାସକ ଦଳର ନେତା ତଥା ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁଁ ବର୍ଷ ବର୍ଷ ବିତିଗଲାଣି, ହେଲେ ଅଧାପନ୍ତରିଆ ଭାବେ ପଡିରହିଛି ବାଦୀପଡା-ସଇଁନ୍ତଲା ଲାଂଥ ନଦୀ ବ୍ରିଜ। ଏହାକୁ ନେଇ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ଆନ୍ଦୋଳନର ପନ୍ଥା ଗ୍ରହଣ କରିବା ପାଇଁ ଲୋକେ ସଜବାଜ ହେବାରେ ଲାଗିଲେଣି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ ଭୋଟ ବର୍ଜନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ ଡୁଙ୍ଗୁରିପାଲି, କଅଁସର, ଘୁନସର ଭଳି ଅନେକ ପଞ୍ଚାୟତର ହଜାର ହଜାର ଲୋକେ ଏହି ବାଦୀପଡା-ସଇଁନ୍ତଲା ନଦୀ ଦେଇ ହୋଇ ଯା’ଆସ କରିଥାନ୍ତି। ଏହି ନଦୀ ଉପରେ ୫ ବର୍ଷରୁ ଅଧିକ ସମୟ ଧରି ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନି। ଫଳରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ସମେତ ରୋଗୀଣା ତଥା ଗର୍ଭବତୀ ମହିଳାମାନଙ୍କ ଯାତାୟାତରେ ଅନେକ ବାଧା ଉପୁଜୁଛି। ଉକ୍ତ ନଦୀ ଉପରେ ବ୍ରିଜ ନିର୍ମାଣ ପାଇଁ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟ ଅଟକଳ ହୋଇ ୨୦୧୬ ମସିହା ଫେବୃଆରୀ ୧୮ ତାରିଖରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଏହି ପୋଲ ନିର୍ମାଣ ୨୦୧୮ ମସିହା ମେ’ ମାସ ସୁଦ୍ଧା ସମାପ୍ତ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ହୋଇନାହିିଁ।

ଗତ ସୋମବାର ଦିନ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଉକ୍ତ ବ୍ରିଜର ତଦାରଖ କରିବା ପାଇଁ ଆସିଥିବା ବେଳେ ସ୍ଥାନୀୟ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ। ଏଥିସହ ଦୀର୍ଘ ବର୍ଷ ଧରି ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଦେଖା ଦର୍ଶନ ମିଳୁନଥିବା ଭଳି ଅଭିଯୋଗ ମଧ୍ୟ ଉଠାଇଥିଲେ ଲୋକେ। ଅନ୍ୟପଟେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, ସରକାର ଟଙ୍କା ଦେଉଛନ୍ତି ହେଲେ ବଲାଙ୍ଗିର ଜିଲ୍ଲାରେ ବଡ଼ବଡ଼ିଆ ଠିକାଦାର ମାନେ କାମ ନକରି ପେଟି ଠିକାଦାର ହାତରେ କାମ ଟେକି ଦେଉଛନ୍ତି, ଫଳରେ କାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ତେବେ ଏହି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନନେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।