ଆଇନସେବା ପ୍ରାଧିକରଣ ପକ୍ଷରୁ ମେଗା କ୍ୟାମ୍ପ

ଦେବଗଡ଼,ଏନ୍ଏନ୍ଏସ୍: ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ଦେଶର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ନାଲଶା ଅଧୀନସ୍ଥ ଓଡିଆ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନଡୋର ଷ୍ଟାଡିୟମ ଠାରେ ଆଜି ଏକ ମେଗା ଆଇନ ସେବା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ବିଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଓ ରାଜ୍ୟ ଆଇନସେବା ପ୍ରାଧିକରଣର ସମ୍ପାଦିକା ଶୀଲା ପ୍ରିୟଦର୍ଶିନୀ ପଣ୍ଡାଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଅତିରିକ୍ତ ଜିଲ୍ଲା ଜଜ୍ ସସ୍ମିତା ପର୍ହି ଓ ଦେବଗଡ଼ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରଥମେଶ ଗୁରୁ ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ଚିହ୍ନଟ ହିତାଧିକାରୀ ମାନଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଜିଲ୍ଲା ଶ୍ରମବିଭାଗ ଅନ୍ତର୍ଗତ ୧୫ ଜଣ ହିତାଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଅନ୍ତର୍ଗତ ୧୯ ଜଣ ହିତାଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅନ୍ତର୍ଗତ ୩୫ ଜଣ ହିତାଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅନ୍ତର୍ଗତ ୨ ଜଣ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ସହ ବିଭିନ୍ନ ଯୋଜନାରେ ସାମିଲ କରାଯାଇଥିବା ସାର୍ଟିଫିକେଟ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧୀର କୁମାର ନଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରୋଜାଲିନ କେରକେଟା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଓ ଜିଲ୍ଲା ଶ୍ରମ ବିଭାଗ ଅତିରିକ୍ତ କମିସନର ପ୍ରସନ୍ନ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ପୁଲିସ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଚାଇଲ୍ଡ ଲାଇନ, ୱାନ ଷ୍ଟପ ସେଣ୍ଟର ସଖୀ ଅନୁଷ୍ଠାନ ପକ୍ଷରୁ ଷ୍ଟଲ ଖୋଲାଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।