ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସତ୍ୟବ୍ରତଙ୍କ ପଦଯାତ୍ରା

ରାମନାଗୁଡା,ଏନ୍ଏନ୍ଏସ୍: ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକରି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ ସିନ୍ଦୋଳ ଗ୍ରାମର ସତ୍ୟବ୍ରତ ଦାସ(୩୦) ସାରା ଓଡ଼ିଶାର ୩୧୪ଟି ବ୍ଲକ ପଦଯାତ୍ରାରେ ବାହାରିଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଗ୍ରାମୀଣ ବିକାଶରେ ପିଜି କରିଥିବା ଶ୍ରୀ ଦାସ ଗତ ୨୦୧୯ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲାର ବଡ଼ଚଣାରୁ ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ।

ବର୍ତ୍ତମାନ ସୁଦ୍ଧା ସେ ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଆଦି ୧୯ଟି ଜିଲ୍ଲାର ୧୯୪ ବ୍ଲକ ପଦଯାତ୍ରା କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଏହି ପଦଯାତ୍ରା ସମୟରେ ହାତରେ ତ୍ରିରଙ୍ଗା ପତାକା ଧରି ୫୬୦୦ରୁ ଊର୍ଦ୍ଧ୍ବ କିଲୋମିଟର ରାସ୍ତା ଅତିକ୍ରମ କରିଛନ୍ତି। ସେହିପରି ଏହି ପଦଯାତ୍ରା ସମୟରେ ରାମନାଗୁଡା ବ୍ଲକ୍ ପହଞ୍ଚିବା ବେଳେ ସତ୍ୟବ୍ରତଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏନେଇ ସେ ରାମନାଗୁଡା ବିଡ଼ିଓ ବେଣୁଧର ଶବରଙ୍କୁ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସ୍ମାରକପତ୍ରରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ, ମହାନଦୀ ଜଳ ବିବାଦର ସମାଧାନ, ପୋଲାଭରମ ଯୋଗୁଁ ମାଲକାନଗିରି ବହୁ ଆଦିବାସୀ ପରିବାର ବାସହରା ହେବା ନେଇ ୩ଟି ଦାବିକୁ ଓଡ଼ିଶାର ସ୍ବାର୍ଥକୁ ଗୁରୁତ୍ବଦେବାକୁ ନେଇ ଏହି ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି।