ଖଇରା,ଏନ୍ଏନ୍ଏସ୍: ଓଡିଆମାନେ ୧୨ ମାସରେ ୧୩ ପର୍ବ ପାଳନ କରିଥାଆନ୍ତି। ସେଥିମଧ୍ୟରୁ ରଜ ପର୍ବ ବଡ଼। ସବୁ ଓଡ଼ିଆ ଏହି ରଜ ତିନି ଦିନକୁ ଆଡମ୍ବରରେ ପାଳନ କରିବେ ବୋଲି ଅନେଇ ବସିଥାନ୍ତି। କିନ୍ତୁ ଚଳିତ ବର୍ଷ ସାରା ଦେଶରେ କରୋନା ଆତଙ୍କ ଯୋଗୁଁ ରଜ ପର୍ବକୁ ଧୂମଧାମରେ ପାଳନ ନକରି ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଘରୁ ନବାହାରି ଘରେ ରହି ପାଳନ କରିବାକୁ ସମସ୍ତ ଓଡ଼ିଆଙ୍କୁ ପରାମର୍ଶ ଦେଇଛନ୍ତି। ଏହି ସମୟରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀମାନେ ଏହି ରଜପର୍ବ ପାଳନ କରିବାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଖଇରା ବ୍ଲକ୍ ରପେୟା ପଞ୍ଚାୟତର ସରପଞ୍ଚ ଅଜୟ ସାମଲ ପ୍ରବାସୀଙ୍କ ସାଙ୍ଗରେ ନିଆରା ଢଙ୍ଗରେ ରଜ ପର୍ବ ପାଳନ କରିଛନ୍ତି।
ଆଜି ରପେୟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସଙ୍ଘରୋଧ କେନ୍ଦ୍ରରେ ଥିବା ପ୍ରବାସୀ ମାନଙ୍କୁ ଶ୍ରୀ ସାମଲ ନିଜସ୍ଵ ଖର୍ଚ୍ଚରେ ନୂତନ ବସ୍ତ୍ର, ମିଠା, ପିଠା, ପାନ, ଆମ୍ବ, ପଣସ ଇତ୍ୟାଦି ପ୍ରଦାନ କରିବା ସହିତ ସାମାଜିକ ଦୂରତା ରକ୍ଷାକରି ନିଆରେ ଢଙ୍ଗରେ ରଜପର୍ବ ପାଳନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମଲଙ୍କ ସମେତ ସମିତିସଭ୍ୟା ଅନିତା ନାୟକ ଓ ତାଙ୍କ ପ୍ରତିନିଧି ବିନୋଦ ନାୟକ, ନାଏବ ସରପଞ୍ଚଙ୍କ ପ୍ରତିନିଧି ଲମ୍ବୋଦର ରାଉତ ଏବଂ ସଙ୍ଘରୋଧ କେନ୍ଦ୍ରର କାର୍ଯ୍ୟକର୍ତ୍ତ ରମେଶ ସିଂ, କୈଳାଶ ଜେନା, ସନ୍ତୋଷ ଲେଙ୍କା, ପ୍ରଶାନ୍ତ ଲେଙ୍କା, ସୁବାସ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ।ସରପଞ୍ଚଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ଗ୍ରାମବାସୀମାନେ ପ୍ରଶଂସା କରିବା ସହିତ ପ୍ରବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି।