ନାଳ ପାଣି ପିଉଛନ୍ତି ଭୁଏରପଡ଼ା ଗ୍ରାମବାସୀ, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ପରେ ନିଦାବିଷ୍ଣୁ ପାଲଟିଛି ପ୍ରଶାସନ

ସଇଁନ୍ତଲା,ଏନ୍ଏନ୍ଏସ୍: ଗ୍ରୀଷ୍ମ ଋତୁରେ ବଲାଙ୍ଗିର ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ ସରକାରଙ୍କ ‘ଘର ଘର ଜଳ, ଘର ଘର ନଳ’ ଯୋଜନା ପ୍ରହସନ ପାଲଟିଛି। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଘରକୁ ଜଳ ଯୋଗାଣ କରୁଥିବା ଡିଣ୍ଡିମ ପିଟୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅବହେଳା ଯୋଗୁଁ ଲୋକେ ପାଣି ପାଇଁ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ କରମତଲା ପଞ୍ଚାୟତର ଭୁଏରପଡା ଗ୍ରାମର ଲୋକଙ୍କ ପାଇଁ ନାଳ ପାଣି ସାହା ଭରଷା ପାଲଟିଛି। ନାଳରୁ କୂଅ ଖୋଳି ପାଣି ସଂଗ୍ରହ କରି ଘରକୁ ନେଇ ବ୍ୟବହାର କରୁଛନ୍ତି।

ଏହି ନାଳରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଭାସିଆସୁ ଥିବା ବେଳେ ସେହିଠାରୁ ପିଇବା ପାଇଁ ପାଣି ସଂଗ୍ରହ କରି ଘରକୁ ନେଉଛନ୍ତି ଏହି ମହିଳାମାନେ। ତେବେ ଅନେକ ଲୋକେ ଏହି ପାଣି ବ୍ୟବହାର କରିବା ଦ୍ୱାରା ରୋଗରେ ଆକ୍ରାନ୍ତ ହେଉଥିବା ମଧ୍ୟ ଜଣାପଡ଼ିଛି। ଟିଟିଲାଗଡ଼ ବିଧାୟିକା ତଥା ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ସମସ୍ୟା ଦେଖା ଦେଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ସମସ୍ୟାର କୌଣସି ପ୍ରକାର ସମାଧାନ ହୋଇପାରିନାହିଁ। ଏନେଇ ସଇଁନ୍ତଲା ବିଡିଓ ଚନ୍ଦ୍ରମଣୀ ନାଗଙ୍କୁ ପଚାରିବାରୁ ଏଭଳି ଅନେକ ସ୍ଥାନରେ ସମସ୍ୟା ଦେଖା ଦେଇଛି ଓ ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି।