ଯାଦୁକର ସମ୍ରାଟ ହ୍ୟାରିଙ୍କ ଯାଦୁରେ ଝୁମିଲେ ଦର୍ଶକ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ଟିଟିଲାଗଡ଼ ଶାଖା ଦ୍ୱାରା ସ୍ୱାଧୀନତାର ଅମୃତ ମହୋତ୍ସବ ଅନ୍ତର୍ଗତ ଏକ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରିବେଷିତ ଯାଦୁ ପ୍ରଦର୍ଶନ କାର୍ଯ୍ୟକ୍ରମ ସ୍ଥାନୀୟ ଗୋବିନ୍ଦବାଟିକାଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଖ୍ୟାତ ଯାଦୁଗର ସମ୍ରାଟ ହ୍ୟାରୀଙ୍କ ଦ୍ୱାରା ପ୍ରଦର୍ଶିତ ଏହି ନିଶୁଳ୍କ ଯାଦୁ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଏବଂ ସମ୍ମାନିତ ଅତିଥିଭାବେ ପୌରପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ ଯୋଗଦେଇ ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପ୍ରାଚୀନ କଳା ଦିନକୁଦିନ ବିଲୁପ୍ତ ହେବାକୁ ବସିଥିବା ବେଳେ ଦୀର୍ଘ ୧୩ ବର୍ଷ ଧରି ଏହି କଳା ପ୍ରଦର୍ଶନ କରି ଯାଦୁ ସମ୍ରାଟ ହ୍ୟାରି ଏହି ଲୁପ୍ତ କଳାର ପୁନଃ ଜାଗରଣ କରିବା ସହ ଦେଶ ବିଦେଶରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ତେବେ ସେ ପିଲାବେଳୁ ବ୍ରହ୍ମ କୁମାରୀ ସଂସ୍ଥା ସହ ଜଡ଼ିତ ଥିବା ପ୍ରକାଶ କରିବା ସହ ଆଧ୍ୟାତ୍ମିକତା ଓ ରାଜଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ନିଶୁଳ୍କ ଯାଦୁ କଳା ପ୍ରଦର୍ଶନ ପାଇଁ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିବା ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଦିଲ୍ଲୀର ମୀନା ବଜାର, ଖାଲି ହାତରେ ନୋଟ ବର୍ଷା, ଯାଦୁ ମନ୍ଦିର, ମୃତ୍ୟୁର ଯନ୍ତା, ଯାଦୁ ମନ୍ଦିର ଓ ରଙ୍ଗୀନ ମାୟାଜାଲ ଆଦି ଅନ୍ତର୍ଭୁକ୍ତ ଥିବାବେଳେ ଦର୍ଶକ ଓାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ବ୍ୟତୀତ ଉକ୍ତ ସଂସ୍ଥା ପକ୍ଷରୁ ଆସନ୍ତା ୭ ଦିବସୀୟ ନିଶୁଳ୍କ ରାଜଯୋଗ ଶିବିର ସ୍ଥାନୀୟ ବ୍ରହ୍ମକୁମାରୀ ଭବନରେ ଆୟୋଜିତ ହେବାକୁ ଥିବା ନେଇ ଘୋଷଣା କରାଯାଇଥିଲା ।