ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୪ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ର ଫଳାଫଳ ଗତ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇଥିଲା । ଏହାପରେ ଜାନୁଆରୀ ୬ ତାରିଖଠାରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଥିଲା । ବର୍ତ୍ତମାନ ଭୋଟର ତାଲିକା ସଂକ୍ଷିପ୍ତ କାର୍ଯ୍ୟକ୍ରମ-୨୦୨୪ ଆରମ୍ଭ ହୋଇଛି ଓ ଏହି ସଂଶୋଧନ କାର୍ଯ୍ୟକ୍ରମରେ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲାର ୭୩- ଉମରକୋଟ, ୭୪- ଝରିଗାଁ, ୭୫- ନବରଙ୍ଗପୁର, ୭୬-ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ସଂଯୋଗୀକରଣ, ସଂଶୋଧନ ଏବଂ ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ଅପସାରଣ କରାଯାଇ ଏସବୁର ଡ୍ରାଫ୍ଟ ଭୋଟର ତାଲିକା ଅକ୍ଟୋବର ୨୭ ତାରିଖରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ରଙ୍କ ଦ୍ୱାରା ସର୍ବସାଧାରଣରେ ପ୍ରକାଶ ପାଇଛି । ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକ୍ଟର ଏମ୍‌. ମନସ୍କତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜାତୀୟ କଂଗ୍ରେସ ଦଳ ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ବିଜେଡି ନଗର ସଭାପତି ପ୍ରମୋଦ ରଥ, ବିଜେପି ଜିଲ୍ଲା ସଭାପତି ଜଗଦୀଶ ବିଶୋଇ ଓ ବିଏସପିର ଜିଲ୍ଲା ସଭାପତି ଚନ୍ଦ୍ରଧ୍ୱଜ ମାଝୀଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ପାଇଥିବା ଡ୍ରାଫ୍ଟ ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ସମୁଦାୟ ଲୋକସଂଖ୍ୟା ୧୦ଲକ୍ଷ ୭୯ହଜାର ୫୩୬ ରହିଥିବାବେଳେ ଭୋଟର ସଂଖ୍ୟା ୮ଲକ୍ଷ ୨୩ହଜାର ୩୭୭ ରହିଛି । ଏଥିରେ ମହିଳା ଭୋଟରଙ୍କ ସଂଖ୍ୟା ସର୍ବାଧିକ ୪ଲକ୍ଷ ୧୫ହଜାର ୪୩୬ ଓ ପୁରୁଷ ଭୋଟରଙ୍କ ସଂଖ୍ୟା ୪ଲକ୍ଷ ୭ହଜାର ୮୭୯ ରହିଛି । ପ୍ରକାଶିତ ଭୋଟର ତାଲିକାରେ ଅଧିକ୧ଲକ୍ଷ ୩ହଜାର ୫୯ ନୂତନ ଭୋଟରଙ୍କୁ ସଂଯୁକ୍ତ କରାଯାଇଛି । ଚଳିତ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୪ରେ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରଦତ୍ତ କାର୍ଯ୍ୟକ୍ରମର ସୂଚୀ ଅନୁସାରେ ଅକ୍ଟୋବର ୨୭ ତାରିଖଠାରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଭୋଟରଙ୍କଠାରୁ ଆପତ୍ତି ଅଭିଯୋଗ କିମ୍ବା ନୂତନ ଭାବେ ଭୋଟର ତାଲିକାରେ ପଞ୍ଜୀକରଣ ପାଇଁ ଆବେଦନ ଫର୍ମ ଗ୍ରହଣ କରାଯିବ ଏହାର ଚୂଡ଼ାନ୍ତ ତାଲିକା ଆସନ୍ତା ଜାନୁଆରୀ ୫ରେ ପ୍ରକାଶ ପାଇବ । ଏହି ଆପତ୍ତି ଅଭିଯୋଗମାନଙ୍କର ତାଲିକା ନିର୍ବାଚନ କମିଶନଙ୍କ ୱେବସାଇଟରେ ଦେଖିପାରିବେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାରେ ବୁଥସ୍ତରୀୟ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହେବ । ଜିଲ୍ଲାର ନିର୍ଭୁଲ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କ୍ଷେତ୍ରରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରତିନିଧି ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଡା. ମିଶ୍ର ପରାମର୍ଶ ଦେଇଛନ୍ତି । ଶେଷରେ ଡେପୁଟି କଲେକ୍ଟର ଜରୁରୀକାଳୀନ ବିଭାଗ ଏ. ମନସ୍ମିତା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।