ଦିନିକିଆରେ କୋହଲୀଙ୍କ ୪୫ତମ ଶତକ

ଗୌହାଟ୍ଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲୀଙ୍କ ଧୂଆଁଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ବିରାଟ ତାଙ୍କ ଦିନିକିଆ କ୍ୟାରିୟରର ୪୫ତମ ଶତକ ମାରିଛନ୍ତି । ବିରାଟ ୮୭ ବଲରେ ୧୨ ଚୌକା ଓ ଗୋଟିଏ ଛକ୍କା ସହ ଜବରଦସ୍ତ ୧୧୩ ରନ୍ ହାସଲ କରିଛନ୍ତି । ଏହି ଶତକ ସହ ବିରାଟ ଅନେକ ରେକର୍ଡ ମଧ୍ୟ ନିଜ ନାଁରେ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିରୋଧରେ ଗୌହାଟ୍ଟୀରେ ଶତକୀୟ ପାରି ଖେଳି ବିରାଟ କୋହଲୀ ଭାରତରେ ୨୦ତମ ଶତକ ମାରିବାରେ ସଫଳ ହୋଇଛନ୍ତି । ବିରାଟଙ୍କ ବ୍ୟତୀତ ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଏହି କାରନାମା କରିଥିଲେ । ଏହି ଶତକ ସହ ଶ୍ରୀଲଙ୍କା ବିରୋଧରେ ବିରାଟ ସର୍ବାଧିକ ୯ଥର ଶତକ ମାରିଥିବା ଖେଳାଳି ହୋଇଛନ୍ତି । ଏହାପୂର୍ବରୁ ସଚ୍ଚିନ ଶ୍ରୀଲଙ୍କା ବିରୋଧରେ ୮ଟି ଶତକ ମାରିଥିଲେ ।