ଅନ୍ତର୍ଜାତୀୟ କ୍ରିକେଟରେ ୨୫ ହଜାର ରନ ପୂରଣ କରିବା ଅପେକ୍ଷାରେ କିଙ୍ଗ କୋହଲି

ହାଇଦ୍ରାବାଦ,ଏଜେନ୍ସି: ଆଜିଠୁ (ଗୁରୁବାର) ଅଷ୍ଟ୍ରେଲିଆ ବପକ୍ଷରେ ଚାରି ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ । ଆଜି ନାଗପୁର ବିଦର୍ଭ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ବନାମ ଅଷ୍ଟ୍ରେଲିଆ । ପାଞ୍ଚ ବର୍ଷ ପରେ ଟିମ ଇଣ୍ଡିଆ ପୁଣି ଥରେ ନାଗପୁର ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ ଖେଳିବ । ବର୍ଷ ୨୦୧୭ ମାର୍ଚ୍ଚ ୨୪ ତାରିଖରେ ଦଳ ଏଠାରେ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳିଥିଲା ଭାରତ । ଏହି ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିଥିଲା ଭାରତ । ଏହି ମ୍ୟାଚରେ ଭାରତ ୨୩୯ ରନରେ ବୃହତ ବିଜୟ ହାସଲ କରିଥିଲା ।

ଏହି ମ୍ୟାଚରେ ବିରାଟ କୋହଲି ଜବରଦସ୍ତ ଦ୍ବିଶତକୀୟ ଇନିଂସ ଖେଳିଥିଲେ । ସେ ୨୬୭ ବଲରୁ ୧୭ ଟି ଚୌକା ଏବଂ ୨ ଛକା ସହିତ ୨୧୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଏହି ପାଳିରେ ଭାରତ ୬ ୱିକେଟ ହରାଇ ୬୧୦ ରନରେ ପାଳି ଘୋଷଣା କରିଥିଲା । ଏବେ ଟିମ ଇଣ୍ଡିଆ ପୁଣି ଥରେ ନାଗପୁର ମଇଦାନରେ ଟେଷ୍ଟ ମ୍ୟାଚ ଖେଳିବା ପାଇଁ କଙ୍ଗାରୁ ଦଳକୁ ଭେଟିବ ।

ଆଜିଠୁ ଆରମ୍ଭ ହେବାକୁ ଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କଠାରୁ ବଡ ଇନିଂସ ଆଶା ରଖିଛନ୍ତି ପ୍ରଶଂସକ । ନାଗପୁରରେ ଖେଳାଯାଇଥିବା ୩ ମ୍ୟାଚରୁ ୪ ଟି ପାଳିରେ ରନ ମେସିନ କୋହଲି ଏପର୍ଯ୍ୟନ୍ତ ୮୮.୫୦ ଆଭରେଜ ସହିତ ୩୫୪ ରନ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର ଦୁଇଟି ଶତକୀୟ ଇନିଂସ ମଧ୍ୟ ରହିଛି । ଗତ ତିନି ବର୍ଷ ହେବ କୋହଲି ଟେଷ୍ଟରେ ତିନି ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଛନ୍ତି । ତେଣୁ ତାଙ୍କର ଏହି ପାଳି ଉପରେ ସମସ୍ତଙ୍କ ନଜର ରହିବ । ସେ ଶେଷଥର ପାଇଁ ବର୍ଷ ୨୦୧୯ରେ ନିଜର ଶତକୀୟ ଇନିଂସ ଖେଳିଥିଲେ ।

୨୫ ହଜାର ରନ ପୂରଣ କରିବା ଅପେକ୍ଷାରେ ବିରାଟ କୋହଲି – ବିରାଟ କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ୨୫୦୦୦ ରନ ପୂରଣ କରିବା ପାଇଁ ୬୪ ରନର ଆବଶ୍ୟକତା ଅଛି । ସେ କ୍ରିକେଟର ତିନୋଟି ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀ ଭାବରେ ଷଷ୍ଠ ସ୍ଥାନରେ ଅଛନ୍ତି । ବିରାଟ କୋହଲି ଏପର୍ଯ୍ୟନ୍ତ ୪୯୦ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଏଥରେ ସେ ୨୪, ୯୩୬ ରନ ସଂଗ୍ରହ କରିଛନ୍ତି । ଏଥିରେ କିଙ୍ଗ କୋହଲି ୭୪ ଟି ଶତକ ହାସଲ କରିଥିବା ବେଳେ ୧୨୯ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଯଦି ବିରାଟ ଏହି ଟେଷ୍ଟ ମ୍ୟାଚରେ ୬୪ ରନ ସଂଗ୍ରହ କରିବାରେ ସକ୍ଷମ ହେଉଛନ୍ତି ତାହେଲେ ସେ ୨୫୦୦୦ ରନ କରିଥିବା ଭାରତର ଦ୍ବିତୀୟ କ୍ରିକେଟର ହେବେ । ଏହା ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୩୪, ୩୫୭ ରନ ସଂଗ୍ରହ କରିଛନ୍ତି । ଏଥିରେ ସଚିନ ୧୦୦ ଟି ଶତକ ହାସଲ କରିଥିବା ବେଳେ ୧୬୪ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।