ଅଙ୍କରା,ଏଜେନ୍ସି: ଭୟଙ୍କର ଭୂକମ୍ପରେ ତୁର୍କୀ ଏବଂ ସିରିଆ ଛାରଖାର ହୋଇଯାଇଥିବା ବେଳେ ଏବେ ସ୍ଥିତି ଦୟନୀୟ ହୋଇଛି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ୧୫ ହଜାର ପାର କରିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଶହଶହ ଲୋକ କୋଠା ତଳେ ଚାପି ହୋଇ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ପ୍ରାକୃତିକ ବିପର୍ଯ୍ୟୟରେ ପେଶି ହୋଇଯାଇଛି ତୁର୍କୀ । ତେବେ ଏହାରି ଭିତରେ ଜଣେ ଭାରତୀୟ ନିଖୋଜ ରହିଥିବା ଖବର ସାମ୍ନାକୁ ଆସିଛି । ଏନେଇ ଗତକାଲି(ବୁଧବାର) ବୈଦେଶିକ ବ୍ୟାପାର ସଚିବ ସଞ୍ଜୟ ବର୍ମା ସୂଚନା ଦେଇଛନ୍ତି ।
ଅପରେସନ ଦୋସ୍ତ ସେ କହିଛନ୍ତି, ” ୧୦ ଜଣ ଭାରତୀୟ ଅନେକ ସ୍ଥାନରେ ଫସି ରହିଛନ୍ତି । କିନ୍ତୁ ସେମାନେ ସୁରକ୍ଷିତ ରହିଛନ୍ତି । ହେଲେ ଜଣେ ଭାରତୀୟଙ୍କ ଦୁଇ ଦିନ ହେଲା କୌଣସି ପତ୍ତା ମିଳି ନାହିଁ । ତୁର୍କୀର ମାଲତୟାକୁ ବ୍ୟବସାୟକୁ ଆସି ଫସିଯାଇଥିବା ଜଣାପଡିଛି । ଆମେ ତାଙ୍କ ପରିବାର ଏବଂ ସେ କାମ କରୁଥିବା ବେଙ୍ଗାଲୁରୁର କମ୍ପାନୀ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରୁଛୁ ।”
ସଞ୍ଜୟ ବର୍ମା ଆହୁରି ମଧ୍ୟ କହିଛନ୍ତି, “ତୁର୍କୀରେ ସମୁଦାୟ ୩୦୦୦ ହଜାର ଭାରତୀୟ ବାସ କରନ୍ତି । ସେଥିମଧ୍ୟରୁ ଇସ୍ତାନବୁଲରେ ୧୮୫୦ ଜଣ ଏବଂ ଅଙ୍କରାରେ ୨୫୦ଜଣ ରହିଛନ୍ତି । ଆଉ କିଛି ଜଣ ଦେଶର ବିଭିନ୍ନ ସ୍ଥାନରେ ରହୁଛନ୍ତି । ” କହୁରଖୁଛୁ କି, ନିଖୋଜ ଯୁବକ ଜଣକ ଉତ୍ତରାଖଣ୍ଡର ହୋଇଥିବା ବେଳେ ପରିବାର ଲୋକେ ଉଦ୍ଧାର କରିବା ପାଇଁ ଗୁହାରି କରିଛନ୍ତି ।ନିଖୋଜ ଯୁବକ ହେଲେ ବିଜୟ ଚନ୍ଦ୍ର । ସେ ବେଙ୍ଗାଲୁରୁ ଏକ କମ୍ପାନୀରେ କାମ କରୁଥିବା ବେଳେ ଗତ ଜାନୁଆରୀ ୨୨ ତାରିଖରେ କୌଣସି କାମ ପାଇଁ ତୁର୍କୀ ଯାଇଥିଲେ । ବିଜୟଙ୍କ ବଡଭାଇ ଅରୁଣ କହିଛନ୍ତି, ” ଭୂକମ୍ପ ପୂର୍ବରୁ ବିଜୟ ସହ ସର୍ବଦା ଭିଡିଓ କଲରେ କଥା ହେଉଥିଲୁ । କିନ୍ତୁ ଭୂକମ୍ପ ପରଠାରୁ କୌଣସି ଯୋଗାଯୋଗ ହୋଇପାରି ନାହିଁ ।”