୩ ଯୁବକଙ୍କୁ କାବୁ କରି ପୁଲିସରେ ଜିମା ଦେଲେ ଗ୍ରାମବାସୀ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ଲୋକଙ୍କୁ ଜଣ ପିଛା ପାଞ୍ଚ ଏକର ସରକାରୀ ଜମି ପଟ୍ଟା କରାଇଦେବା କହି ୫୦ ଟଙ୍କା ଲେଖାଏଁ ଅସୁଲି କରୁଥିବା ୩ ଜଣ ଯୁବକଙ୍କୁ ଗ୍ରାମବାସୀ ମାନେ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଉକ୍ତ ଗ୍ରାମକୁ ୩ ଜଣ ଅଚିହ୍ନା ଯୁବକ ଆସି କେତେକ ଗ୍ରାମବାସୀଙ୍କୁ ଗ୍ରାମରେ ଥିବା ସରକାରୀ ଜମିକୁ ଜଣ ପିଛା ୫ ଏକର ୪ ଡିସମିଲ ଲେଖାଏଁ ରେକର୍ଡ କରାଇ ଦେବାକୁ କହି ୫୦ ଟଙ୍କା ଲେଖାଏଁ ମାଗିଥିଲେ।

ଯୁବକଙ୍କ ହାବ ଭାବ ନେଇ ସନ୍ଦେହ ହେବାରୁ ରଙ୍ଗମାଟିଆ ଗ୍ରାମର ହେମନ୍ତ ବେହେରା(୨୭) ଗ୍ରାମର ଅନ୍ୟ କେତେକ ବ୍ୟକ୍ତିଙ୍କ ସହାୟତାରେ ଉକ୍ତ ଅଚିହ୍ନା ଯୁବକଙ୍କୁ ଅଟକ ରଖି ଦେବଗଡ଼ ଥାନା ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଥାନାକୁ ଆଣିଥିଲା। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ତଦନ୍ତ ସମୟରେ ଅଚିହ୍ନା ଯୁବକ ମାନେ ଦେବଗଡ଼ ଥାନା ଅନ୍ତର୍ଗତ କପାସିରା ଗ୍ରାମର ମଧୁ ସୂଦନ ପଦିଲ(୨୩), ଟିକେଶ୍ୱର ପଦିଲ(୧୮), ୱାମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଚଳର ଅଭିମନ୍ୟୁ ନାଏକ(୪୧) ବୋଲି ଜଣିବାକୁ ପାଇଥିଲେ। ସେହିପରି ସେମାନେ ନିରୀହ ଗ୍ରାମବାସୀଙ୍କୁ ଠକିବା ଉଦ୍ଦେଶ୍ୟରେ ଏଭଳି କାମ କରୁଥିବା ଜାଣିବାକୁ ପାଇବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଠକେଇ ମାମଲାରେ ଗିରଫ କରାଯାଇଥିବା ଦେବଗଡ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି।