ଆଜି ଆସିବ ୯୦ ହଜାର ଡୋଜ ଟିକା, ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପହଞ୍ଚିବ ଆଉ ୯୦ ହଜାର ଡୋଜ କୋଭିସିଲିଡ଼ ଟିକା। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଆଜି ଅପରାହ୍ନ ସୁଦ୍ଧା ଭୁବନେଶ୍ୱରରେ ଟିକା ପହଞ୍ଚିବ। ଯାହାକି ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବ ବୋଲି କହିଛନ୍ତି।

ସେପଟେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହେବ। ଟିକା ଆଣିବା ନେଇ ରାଜ୍ୟ ସରକାର କମ୍ପାନୀ ମାନଙ୍କ ସହ ଆଲୋଚନା କରୁଛନ୍ତି। ରାଜ୍ୟରେ ଯେବେ ଟିକା ପହଞ୍ଚିବ ସେବେ ତୃତୀୟ ପର୍ଯ୍ୟାୟରେ ଟିକାକରଣ ଆରମ୍ଭ ହେବ। ଆବଶ୍ୟକ ସ୍ଥଳେ ସେସନ ସାଇଟ ବୃଦ୍ଧି କରାଯିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଗତକାଲି ୬୧୭ ଟିକାକରଣ କେନ୍ଦ୍ରରେ ଟିକାକରଣ ହୋଇଥିଲା। ୬୫ ହଜାର ୭୭୬ ଜଣଙ୍କୁ ଟିକା ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୪ ହଜାର ୯୧୬ ଡୋଜ ଦିଆଯାଇଛି। ଯାଜପୁର ଓ କେନ୍ଦୁଝରରେ ଆଜି ଟିକାକରଣ ବନ୍ଦ ରହିଛି। ୪୬୪ କେନ୍ଦ୍ରରେ ଆଜି ଟିକାକରଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ ହଜାର କୋଭିସିଲ୍ଡ ଓ ୩.୫ ଲକ୍ଷ କୋଭାକ୍ସିନ ଟିକା ମହଜୁଦ ରହିଛି।