ନର୍ସିଂ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଡାଇରେକ୍ଟର ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହିରେ ଥିବା ଏକ ଘରୋଇ ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଉକ୍ତ ସ୍କୁଲର ଡାଇରେକ୍ଟର ଦୁର୍ଷ୍କମ ଉଦ୍ୟମ କରିବା ସହ ଜୀବନରୁ ମାରିଦେବାର ପ୍ରୟାସ କରିଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଅଭିଯୁକ୍ତ ଡାଇରେକ୍ଟର ପ୍ରଶାନ୍ତ ସାହୁଙ୍କ ବିରୋଧରେ ଦୁର୍ଷ୍କମ ଓ ଠକେଇ ମାମଲା ସହ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରିଥିବା ଜଣାପଡିଛି।

ପୁଲିସ ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବିର ଗ୍ରାମର ସିଦ୍ଧେଶ୍ୱର ସାହୁଙ୍କ ପୁଅ ପ୍ରଶାନ୍ତ କୁମାର ସାହୁ(୪୦) ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହିରେ ଏମ୍ସ କଲେଜ ଅଫ ସାଇନ୍ସ ନାମରେ ଏକ ନର୍ସିଂ କଲେଜ ସ୍ଥାପନ କରିଥିଲେ। ଏହି କଲେଜରେ ଶିକ୍ଷୟିତ୍ରୀ ଭାବେ ପ୍ରଧାନ ସାହିର ରଞ୍ଜିତା ନାଏକ(୪୦) ନାମକ ମହିଳା କାର୍ଯ୍ୟ କରୁଥିଲେ। ଉକ୍ତ ସ୍କୁଲ ପାଇଁ ଏକ ଇନୋଭା ଗାଡି କିଣିବା ପାଇଁ ଡାଇରେକ୍ଟର ପ୍ରଶାନ୍ତ ସାହୁ ଉକ୍ତ ମହିଳା କର୍ମଚାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଧାର ଆକାରରେ ନେବା ସହ ୨ ମାସ ଭିତରେ ଫେରସ୍ତ ପାଇଁ ପ୍ରତିଶୃତି ଦେଇଥିଲେ। ଏହାପରେ ଡାଇରେକ୍ଟର ଜଣଙ୍କ ଦ୍ୱିତୀୟ ବିବାହ ପାଇଁ ମଧ୍ୟ ଶିକ୍ଷୟିତ୍ରୀଙ୍କ ଠାରୁ ଗତ ମାର୍ଚ୍ଚ ୧୦ ତାରିଖରେ ସ୍କୁଲ ଛାତ୍ରୀଙ୍କ ଜମା ଥିବା ଟଙ୍କାରୁ ୭୦ ହଜାର ଟଙ୍କା ନେଇଥିଲେ। ପରେ ପ୍ରଶାନ୍ତ ଆଉ ଧରା ଛୁଆଁ ଦେଇନଥିଲେ।

ଗତ ମାର୍ଚ୍ଚ ୧୬ ତାରିଖ ଦିନ ପ୍ରଶାନ୍ତ ନିଜ ଗ୍ରାମ ଟିଙ୍କବିରରୁ ନର୍ସିଂ ସ୍କୁଲକୁ ଯାଇଥିଲେ। ସେଠାରେ ସେ ପ୍ରଶାନ୍ତଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ସେ ଶିକ୍ଷୟିତ୍ରୀ ଜଣଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଶିକ୍ଷୟିତ୍ରୀ ଜଣଙ୍କ ସ୍କୁଲରୁ ନିଜ ରୁମକୁ ଫେରିଥିଲେ। ଏହି ସମୟରେ ଅଭିଯୁକ୍ତ ପ୍ରଶାନ୍ତ ଶିକ୍ଷୟିତ୍ରୀ ଜଣଙ୍କ ରହୁଥିବା କଠୋରି କବାଟକୁ ଧକ୍କା ଦେଇ ଭିତରକୁ ପଶି ଶିକ୍ଷୟିତ୍ରୀଙ୍କ ସହ ଦୁଷ୍କର୍ମ ଊଦ୍ୟମ କରିଥଲେ। ପ୍ରଶାନ୍ତ ଶିକ୍ଷୟିତ୍ରୀଙ୍କ ଗାଲ, ବେକ ଓ ଓଠକୁ କାମୁଡି ଛିଣ୍ଡାଇ ଦେବାରୁ ସେ ଅଚେତ ହୋଇ ପଡିଯାଇଥିଲେ।

ଶିକ୍ଷୟିତ୍ରୀ ଜଣଙ୍କ ମରିଯାଇଥିବା ଭାବି ପ୍ରଶାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଶିକ୍ଷୟିତ୍ରୀ ଜଣଙ୍କ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିବା ପରେ ଗତ କାଲି ସନ୍ଧ୍ୟାରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଦଫା ୪୨୦/୩୭୬(୧)/୫୧୧/୩୫୪/୫୦୬/୩୨୪ ଓ ୩୨୬ ଆଇପିସିରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଆଜି ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରିଥିବା ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି।